ଶିଶୁ ଖାଦ୍ୟର ପ୍ରଚାର ଓ ପୋଷଣମାନକୁ ନେଇ ନେସ୍ଲେ ବିରୋଧରେ ୩ ମାମଲା

ନୂଆଦିଲ୍ଲୀ: ଶିଶୁମାନଙ୍କ ପାଇଁ ବ୍ୟବହୃତ ଫର୍ମୁଲା ଫୁଡ୍ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ମାନକକୁ ନେଇ ନେସଲେ ଇଣ୍ଡିଆ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ନିୟମ ଉଲ୍ଲଂଘନ ଅଭିଯୋଗରେ କମ୍ପାନୀ ବିରୋଧରେ ୩ଟି ପୃଥକ ଏଡଜୁଡିକେସନ୍ କେସ୍ ରୁଜୁ ହୋଇଛି।
FSSAI ଅନୁଯାୟୀ, ନେସଲେର NAN Excella Pro Stage 1 ଓ Lactogen Pro 1ର ପ୍ରଚାରରେ ନିୟମ ବହିର୍ଭୂତ ଦାବି କରାଯାଇଥିବା ଅଭିଯୋଗ ରହିଛି। NAN Excella Pro Stage 1ରେ ‘5 HMOs’ ଓ ‘Whey Protein’ ସମ୍ପର୍କିତ ଦାବି ହୋଇଥିବା ବେଳେ Lactogen Pro 1ରେ ‘Whey Protein being easy to digest’ ବୋଲି ପ୍ରଚାର କରାଯାଇଥିଲା।
ତଦନ୍ତ ପରେ ଏହି ଦାବିଗୁଡ଼ିକ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ (ଫୁଡ୍ ଫର୍ ଇନ୍ଫାଣ୍ଟ ନ୍ୟୁଟ୍ରିସନ୍) ରେଗୁଲେସନ୍, ୨୦୨୦ର ଧାରା ୪(୨) ଏବଂ ଇନ୍ଫାଣ୍ଟ ମିଲ୍କ ସବ୍ଷ୍ଟିଚ୍ୟୁଟ୍ସ ଆଇନ, ୧୯୯୨ର ଧାରା ୩ ଅଧୀନରେ ଉଲ୍ଲଂଘନ ବୋଲି ଦର୍ଶାଯାଇଛି। ଶିଶୁ ଆହାରର ବିକ୍ରି ବଢ଼ାଇବା ପାଇଁ ବିଭ୍ରାନ୍ତିକର ବିଜ୍ଞାପନ ଓ ପ୍ରଚାର ଉପରେ ଏହି ନିୟମରେ କଟକଣା ରହିଛି।
ଅନ୍ୟପକ୍ଷରେ, ନେସଲେର ଏକ ଫଲୋ-ଅପ୍ ଫର୍ମୁଲାର ଗୁଣବତ୍ତାକୁ ନେଇ ମଧ୍ୟ ଆପତ୍ତି ଉଠିଛି। ପ୍ରାଥମିକ ଲ୍ୟାବ୍ ପରୀକ୍ଷାରେ ଉତ୍ପାଦରେ ବାୟୋଟିନ୍ର ମାତ୍ରା ନିର୍ଦ୍ଧାରିତ ମାନକଠାରୁ କମ୍ ଥିବା ଜଣାପଡ଼ିଥିଲା। ପରେ ରେଫରାଲ୍ ଲ୍ୟାବୋରେଟରୀରେ ପୁନଃ ପରୀକ୍ଷା ପରେ ମଧ୍ୟ ଏହା ମାନକ ଅନୁଯାୟୀ ନଥିବା ଜଣାପଡ଼ିଛି। ଶିଶୁଙ୍କ ବିକାଶ ପାଇଁ ବାୟୋଟିନ୍ ଏକ ଆବଶ୍ୟକୀୟ ଭିଟାମିନ୍ ହୋଇଥିବାରୁ ଏହି ମାମଲାକୁ FSSAI ଗୁରୁତ୍ୱର ସହ ନେଇଛି।



