Breaking PLUSଆଇନ କାନୁନଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଅମିତ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲା: ରାହୁଲ ଗାନ୍ଧି ଦୋଷମୁକ୍ତ

ସୁଲତାନପୁର କୋର୍ଟଙ୍କ ରାୟ, ୨୦୧୮ରୁ ଚାଲିଥିବା ମାନହାନି ମାମଲାରେ ପୂର୍ଣ୍ଣଚ୍ଛେଦ

 

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଟିପ୍ପଣୀକୁ ନେଇ ୨୦୧୮ରେ ଦାଏର ମାନହାନି ମାମଲାରେ ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ପ୍ରମାଣ ଅଭାବରୁ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍‌ ଶୁଭମ ବର୍ମା ଏହି ରାୟ ଶୁଣାଇଛନ୍ତି।

ସୋମବାର ରାୟ ଶୁଣାଣି ସମୟରେ ରାହୁଲ ଗାନ୍ଧି ନିଜେ କୋର୍ଟରେ ଉପସ୍ଥିତ ଥିଲେ। ରାୟ ପରେ କଂଗ୍ରେସ ନେତା ଓ କର୍ମୀମାନେ ଏହାକୁ ସ୍ୱାଗତ କରିଛନ୍ତି।

ବିଜେପି ନେତା ବିଜୟ ମିଶ୍ର ଏହି ମାମଲା ଦାଏର କରିଥିଲେ। ସେ ସୁଲତାନପୁର ଜିଲ୍ଲାର ହନୁମାନଗଞ୍ଜ ବାସିନ୍ଦା ଏବଂ ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ। ୨୦୧୮ ଅଗଷ୍ଟ ୪ରେ ବେଙ୍ଗାଲୁରୁରେ ଏକ ରାଲିରେ ରାହୁଲ ଗାନ୍ଧି ଦେଇଥିବା ଭାଷଣ ଅମିତ ଶାହଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶୁଣାଣି ସମୟରେ ରାହୁଲଙ୍କ ଓକିଲ ବିବାଦୀୟ ବୟାନ ତାଙ୍କ ମହକିଲ ଦେଇଥିବା ସ୍ୱୀକାର କରିଥିଲେ। ତେବେ ଏହା ଜାଣିଶୁଣି କାହାକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଦିଆଯାଇ ନଥିଲା ବୋଲି ସେ ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ, ବୟାନ ସ୍ୱୀକାର କରିଥିବାରୁ ଦଣ୍ଡବିଧାନ କରାଯିବା ଉଚିତ ବୋଲି ଅଭିଯୋଗକାରୀଙ୍କ ଓକିଲ ଦାବି କରିଥିଲେ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୨୦୨୪ ଫେବୃଆରୀରେ ରାହୁଲ ଏହି ମାମଲାରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ ମିଳିଥିଲା। ସେହି ବର୍ଷ ଜୁଲାଇରେ ତାଙ୍କ ସମେତ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଚଳିତ ଅକ୍ଟୋବର ୬ରୁ ମାମଲାର ଚୂଡ଼ାନ୍ତ ଯୁକ୍ତି ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୨ରେ ଶୁଣାଣି ଶେଷ ହୋଇଥିଲା। ଶେଷରେ ଅକ୍ଟୋବର ୨୬ରେ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷମୁକ୍ତ କରିଛନ୍ତି।

Show More

Related Articles

Back to top button