ଦାଉଦର ଘନିଷ୍ଠ ସହଯୋଗୀ ସଲିମ ଡୋଲା ଭାରତରେ: ଇସ୍ତାନବୁଲରୁ ପ୍ରତ୍ୟାର୍ପଣ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିମାନଙ୍କୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗୀ ସଲିମ ଡୋଲାଙ୍କୁ ତୁର୍କୀର ଇସ୍ତାନବୁଲରେ ଗିରଫ ପରେ ବର୍ତ୍ତମାନ ଭାରତକୁ ପ୍ରତ୍ୟାର୍ପଣ କରାଯାଇଛି। ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରକୁ ଆଣାଯାଇଥିଲା, ଯେଉଁଠାରେ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ତାଙ୍କୁ ଅଟକ ରଖିଛନ୍ତି।
ସଲିମ ଡୋଲାଙ୍କ ବିରୁଦ୍ଧରେ ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ୍ ଜାରି ଥିଲା, ଯାହା ଭାରତୀୟ ଏଜେନ୍ସିମାନଙ୍କ ଅନୁରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାଧ୍ୟମରେ ଜାରି ହୋଇଥିଲା। ଏହି ଗିରଫ ଓ ପ୍ରତ୍ୟାର୍ପଣ ଏକ ମିଳିତ ଅନ୍ତର୍ଜାତୀୟ ଅଭିଯାନର ଫଳସ୍ୱରୂପ ବୋଲି ସୂଚନା ମିଳିଛି।
ତଦନ୍ତକାରୀ ଏଜେନ୍ସିମାନଙ୍କ ଅନୁସାରେ, ସଲିମ ଡୋଲା ପ୍ରାୟ ୫ ହଜାର କୋଟି ଟଙ୍କାର ଏକ ବିଶାଳ ଆନ୍ତର୍ଜାତୀୟ ଡ୍ରଗ୍ସ ନେଟୱାର୍କ ସହ ଜଡିତ ଥିଲେ। ଏହି ନେଟୱାର୍କ ନିଶାଦ୍ରବ୍ୟର ଚୋରା ଚାଲାଣ ଓ ଅବୈଧ ବ୍ୟବସାୟରେ ଲିପ୍ତ ଥିଲା। ବର୍ତ୍ତମାନ ଦିଲ୍ଲୀରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଚରାଉଚରା କରାଯାଉଥିବା ବେଳେ, ପରବର୍ତ୍ତୀ ତଦନ୍ତ ପାଇଁ ତାଙ୍କୁ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।



