କେରଳରେ ଶଶି ଥରୁରଙ୍କ କନଭୟ ଉପରେ ଆକ୍ରମଣ, ସୁରକ୍ଷାକର୍ମୀ ଆହତ

କଂଗ୍ରେସ ସାଂସଦ ଶଶି ଥରୁର କେରଳରେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଶୁକ୍ରବାର ରାତିରେ ମାଲାପୁରମ ଜିଲ୍ଲାରେ ତାଙ୍କ କନଭୟକୁ ଅଟକାଇ ଦିଆଯାଇଥିଲା ଏବଂ ତାଙ୍କ ସୁରକ୍ଷା ଟିମର ଜଣେ ସଦସ୍ୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି।
ସୂଚନା ଅନୁଯାୟୀ, ଥରୁର୍ ୱାଣ୍ଡୋର ଅଞ୍ଚଳରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଥିରୁଭାଲ୍ଲି ଚେଲ୍ଲିଥୋଡୁ ବ୍ରିଜ୍ ନିକଟରେ କିଛି ଲୋକ ତାଙ୍କ ଗାଡ଼ିକୁ ଘେରି ଅଟକାଇଥିଲେ। ପରିସ୍ଥିତି ବୁଝିବା ସମୟରେ ତାଙ୍କ ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରାଯାଇଥିଲା।
ଭିଡିଓରେ ଦେଖାଯାଇଛି ଯେ ଥରୁରଙ୍କ କାରକୁ ଘେରି ଲୋକେ ଚିତ୍କାର କରୁଥିଲେ ଏବଂ ଆକ୍ରମଣାତ୍ମକ ଆଚରଣ କରୁଥିଲେ। ଥରୁର୍ ନିଜେ କାରରେ ସୁରକ୍ଷିତ ଥିଲେ, କିନ୍ତୁ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଥିଲେ।
ପରେ ସୋସିଆଲ ମିଡିଆ Xରେ ଥରୁର୍ ଏହି ଘଟଣାକୁ ସ୍ୱୀକାର କରି କହିଛନ୍ତି ଯେ ସେ ସୁରକ୍ଷିତ ଅଛନ୍ତି ଏବଂ ଆହତ ସୁରକ୍ଷାକର୍ମୀ ମଧ୍ୟ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛନ୍ତି।
ଘଟଣା ପରେ କେରଳା ପୋଲିସ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖିଛି ଏବଂ ୨ଟି ଗାଡ଼ି ଜବତ କରିଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣା ପରେ ମଧ୍ୟ ଥରୁର୍ ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖି ଆଉ ୨ଟି ସଭାରେ ଯୋଗ ଦେଇଥିବା ସୂଚନା ଦେଇଛନ୍ତି।



