କ୍ୟାନସର ଔଷଧ ଦାମ କମିବ, ୩୦%ରେ ସୀମିତ ହେବ ଟ୍ରେଡ୍ ମାର୍ଜିନ୍

ନୂଆଦିଲ୍ଲୀ: କ୍ୟାନସର ଚିକିତ୍ସାର ଅତ୍ୟଧିକ ଖର୍ଚ୍ଚରେ ଅସୁବିଧାରେ ପଡ଼ୁଥିବା ରୋଗୀ ଓ ସେମାନଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ସମସ୍ତ ନନ୍-ସେଡ୍ୟୁଲ୍ ଆଣ୍ଟି-କ୍ୟାନସର ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଅନେକ କ୍ୟାନସର ଔଷଧର ଖୁଚୁରା ମୂଲ୍ୟ (ଏମ୍ଆର୍ପି)ରେ ବଡ଼ ହ୍ରାସ ହେବା ଆଶା କରାଯାଉଛି।
ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ଔଷଧ ଉପରେ ଅତ୍ୟଧିକ ଲାଭ ରୋକିବା ସହ ଜୀବନରକ୍ଷକ କ୍ୟାନସର ଔଷଧକୁ ଅଧିକ ସୁଲଭ କରିବା। ଟ୍ରେଡ୍ ମାର୍ଜିନ୍ ୩୦ ପ୍ରତିଶତରେ ସୀମିତ ହେଲେ କେତେକ ଔଷଧର ଏମ୍ଆର୍ପିରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଆକଳନ ଅନୁଯାୟୀ, ଏହି ନିଷ୍ପତ୍ତି ଫଳରେ ରୋଗୀମାନେ ପ୍ରତିବର୍ଷ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ କରିପାରନ୍ତି।
ଏହି ବ୍ୟବସ୍ଥାରେ ବ୍ରାଣ୍ଡେଡ୍ କିମ୍ବା ଜେନେରିକ୍, ଦେଶୀ କିମ୍ବା ଆମଦାନୀ ହୋଇଥିବା, ପେଟେଣ୍ଟେଡ୍ କିମ୍ବା ନନ୍-ପେଟେଣ୍ଟେଡ୍—ସମସ୍ତ ନନ୍-ସେଡ୍ୟୁଲ୍ ଆଣ୍ଟି-କ୍ୟାନସର ଔଷଧକୁ ସାମିଲ କରାଯିବ। ଏଥିସହ ଔଷଧର ଦାମ ହ୍ରାସ ପରେ ବଜାରରେ ଜୀବନରକ୍ଷକ ଔଷଧର ଯୋଗାଣ ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ।
୨୦୧୯ରେ ସରକାର ୫୨୬ଟି ବ୍ରାଣ୍ଡ୍ରେ ଏହିପରି ଟ୍ରେଡ୍ ମାର୍ଜିନ୍ ନିୟନ୍ତ୍ରଣ କରିଥିଲେ। ସେହି ପଦକ୍ଷେପ ଯୋଗୁ ରୋଗୀମାନେ ବାର୍ଷିକ ପ୍ରାୟ ୯୮୪ କୋଟି ଟଙ୍କା ସଞ୍ଚୟ କରିଥିବା ଆକଳନ କରାଯାଇଥିଲା। ଏବେ ନୂଆ ବ୍ୟବସ୍ଥା ମାଧ୍ୟମରେ କ୍ୟାନସର ଚିକିତ୍ସାକୁ ଅଧିକ ସୁଲଭ ଓ ରୋଗୀକେନ୍ଦ୍ରିକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।



