‘ଯୁବ ସଙ୍ଗମ’ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କଲେ ରାଜ୍ୟପାଳ
ଯୁବବର୍ଗ ହେଉଛନ୍ତି ପରିବର୍ତ୍ତନର ପ୍ରମୁଖ ବାହକ: ରାଜ୍ୟପାଳ

ଭୁବନେଶ୍ୱର, ୨୭ ମେ- : ଯୁବବର୍ଗ ହେଉଛନ୍ତି ପରିବର୍ତ୍ତନର ପ୍ରମୁଖ ବାହକ I ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ ପାଇଁ ତଥା ସୂଚନା ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ବୁଧବାର ଦିନ ଲୋକଭବନର ଅଭିଷେକ ହଲଠାରେ ‘ଯୁବ ସଙ୍ଗମ’ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ଅବସରରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି I
‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ଅଧୀନରେ ଆୟୋଜିତ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ‘ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟ’ ଅଧୀନରେ ଓଡ଼ିଶା ଗସ୍ତରେ ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା ସମୟରେ ରାଜ୍ୟପାଳ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ନାଗରିକମାନଙ୍କ ମଧ୍ୟରେ ଭାବଗତ ବନ୍ଧନକୁ ମଜବୁତ କରିବା ଏବଂ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।
ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କଠାରୁ ଗସ୍ତ ପୂର୍ବରୁ ଏବଂ ପରେ ଓଡ଼ିଶାରେ ସେମାନଙ୍କର ଅଭିଜ୍ଞତା ଏବଂ ରାଜ୍ୟ ପ୍ରତି ସେମାନଙ୍କର ଧାରଣା ସମ୍ପର୍କରେ ରାଜ୍ୟପାଳ ମତାମତ ଲୋଡିଥିଲେ। ସେମାନଙ୍କୁ ବିବିଧତାରେ ଏକତାର ବାର୍ତ୍ତା ଆଗକୁ ବଢ଼ାଇବା ସହିତ ସାଂସ୍କୃତିକ ବୁଝାମଣାର ଆମ୍ବାସଡର ହୁଅନ୍ତୁ ବୋଲି ରାଜ୍ୟପାଳ ଉତ୍ସାହିତ କରିଥିଲେ।
ଓଡ଼ିଶାର ଦ୍ରୁତ ପ୍ରଗତି ଉପରେ ଆଲୋକପାତ କରି ରାଜ୍ୟର ଅମାପ ଖଣିଜ ସମ୍ପଦ, ଜୀବନ୍ତ ଆଦିବାସୀ ଐତିହ୍ୟ, ବର୍ଦ୍ଧିତ ଶିଳ୍ପ ବିକାଶ ଏବଂ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଦୀୟମାନ ସ୍ଥିତି ବିଷୟରେ ରାଜ୍ୟପାଳ ଆଲୋକପାତ କରିଥିଲେ । ପଟ୍ଟଚିତ୍ର, ରୂପା ତାରକସି କାମ, ପଥର ଖୋଦେଇ, ସମ୍ବଲପୁରୀ ଶାଢ଼ି ଏବଂ ହସ୍ତତନ୍ତ ବୟନ ପରମ୍ପରା ସମେତ ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ କଳା ଏବଂ ହସ୍ତଶିଳ୍ପ ବିଷୟରେ ମଧ୍ୟ ରାଜ୍ୟପାଳ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।
ଏଥି ସହିତ ରାଜ୍ୟର ଇକୋ-ପର୍ଯ୍ୟଟନ ପଦକ୍ଷେପ ସହିତ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଭଳି ସ୍ଥାନଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ଓଡ଼ିଶାର ପରିବେଶଗତ ଏବଂ ପର୍ଯ୍ୟଟନ ସମ୍ଭାବନା ଉପରେ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ।
ଏହି ଆଲୋଚନା ସମୟରେ ଦେଶର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ଅର୍ଥନୈତିକ ଆତ୍ମସୁରକ୍ଷା’ ସମ୍ପର୍କିତ ପରାମର୍ଶ ପାଳନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ କୋଭିଡ୍-୧୯ ମହାମାରୀ ସମୟରେ ଭାରତ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ଡିଜିଟାଲ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରି ଆହ୍ୱାନଗୁଡ଼ିକୁ ସୁଯୋଗରେ ପରିଣତ କରିପାରିଥିଲା । ଏହି ସମୟରେ ଡିଜିଟାଲାଇଜେସନ୍ ତ୍ୱରାନ୍ୱିତ କରାଯିବ ସହିତ ସାରା ଦେଶରେ ଇ-କମର୍ସ ପ୍ଲାଟଫର୍ମ ଦ୍ରୁତ ପ୍ରସାରଣ କରାଯାଇଥିଲା ।
ଏହି ଆଲୋଚନା ଅବସରରେ ଯୁବପିଢ଼ିଙ୍କୁ ବୈଦ୍ୟୁତିକ ଯାନବାହନ ଏବଂ ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସମାଜରେ ପରିବେଶଗତ ଦାୟିତ୍ୱ ବିଷୟରେ ସଚେତନତା ପ୍ରସାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଭଳି କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ଏବଂ ଅନ୍ୟମାନଙ୍କୁ ସଚେତନ କରି ଏହାର ଲାଭ ପାଇବା ପାଇଁ ପ୍ରେରଣା ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ଇଭି ଭିତ୍ତିଭୂମି, ଇଥାନଲ୍ ମିଶ୍ରଣ ଏବଂ ଅନ୍ୟାନ୍ୟ ସମସାମୟିକ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଶ୍ନ ପଚାରିଥିଲେ । ପାରସ୍ପରିକ ଆଲୋଚନା ମାଧ୍ୟମରେ ବିସ୍ତୃତ ଭାବରେ ଏହି ପ୍ରଶ୍ନଗୁଡିକର ରାଜ୍ୟପାଳ ଉତ୍ତର ରଖିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ସନ୍ଦେହ ମୋଚନ କରିଥିଲେ ।



