ଆଜି ଇସଲମାବାଦରେ ଆମେରିକା- ଇରାନ ମଧ୍ୟରେ ଶାନ୍ତି ବାର୍ତ୍ତା

ତେହେରାନ, 11 ଏପ୍ରିଲ- ପାକିସ୍ତାନ ଉପରେ ଆଜି ସାରା ବିଶ୍ୱର ନଜର । ଏକାଠି ବସିବେ ଇରାନ ଓ ଆମେରିକା। ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଘମାଘୋଟ ସ୍ଥିତି ଭିତରେ କିଛି ସମୟରେ ବସିବାକୁ ଯାଉଛି ବଡ଼ ବୈଠକ । ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ବରେ ଏକ ୩୦ ଜଣିଆ ଦଳ ପାକିସ୍ତାନକୁ ଆସିଛନ୍ତି । ସେପଟେ ଇରାନ ପ୍ରତିନିଧ ଦଳ, ଇସଲାମାବାଦରେ ପହଞ୍ଚି ସାରିଛନ୍ତି ।
ପଶ୍ଚିମ ଏସିଆରେ ପ୍ରାୟ ଛଅ ସପ୍ତାହ ଧରି ଚାଲିଥିବା ଭୟାବହ ସାମରିକ ସଂଘର୍ଷ ଓ ବିବାଦ ପରେ ଶନିବାର ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଏଗାର ବର୍ଷ ପରେ ଏହା ପ୍ରଥମ ଅବସର ଯେତେବେଳେ କି ଇରାନ ଓ ଆମେରିକା ସିଧାସଳଖ ଆଲୋଚନା ପାଇଁ ବସିବେ।
ପଶ୍ଚିମ ଏସିଆରେ ଭୟଙ୍କର ଯୁଦ୍ଧ, ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ଏବଂ ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଆଜି ଇସ୍ଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ। ଏହି ପାଇଁ ଆମେରିକୀୟ ପ୍ରତିନିଧିମଣ୍ଡଳରେ ଅମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ବିଶେଷ ଦୂତ ସ୍ଟିଭ୍ ୱିଟକଫ୍ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ଇସ୍ଲାମାବାଦ ପହଞ୍ଚିଛନ୍ତି।


