
ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ସହ ରୋଜଗାର ମାମଲାରେ ମଧ୍ୟ ଭଲ ଖବର ସାମନାକୁ ଆସିଛି । ନୂଆ ସୁଯୋଗ ସୃଷ୍ଟି ହେବା ସହ ବେରୋଜଗାରୀ ସଂଖ୍ୟା କମିବାରେ ଲାଗିଛି । ଆଗାମୀ କିଛି ମାସ ଯାଏଁ ନୂଆ ନିଯୁକ୍ତିର ଏହି ଟ୍ରେଣ୍ଡ ଜାରି ରହିପାରେ। ସରକାରୀ ସଂଖ୍ୟା ଅନୁସାରେ, ୨୦୨୧ ଡିସେମ୍ୱର ତ୍ରୟମାସିକରେ ୯ ପ୍ରମୁଖ ସଂଗଠିତ କ୍ଷେତ୍ର ୪ ଲକ୍ଷ ନୂଆ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଗୁରୁବାର ତ୍ରୟମାସିକ ସର୍ଭେ ରିପୋର୍ଟ ଜାରି କରି ଏହି ସୂଚନା ଦେଇଛି । ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ୨୦୨୧ ସେପ୍ଟେମ୍ୱର ତ୍ରୟମାସିକରେ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୩.୧୦ କୋଟିରୁ ବୃଦ୍ଧି ପାଇ ଡିସେମ୍ୱର ତ୍ରୟମାସିକରେ ଏହା ୩.୧୪ କୋଟିରେ ପହଞ୍ଚିଛି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏନେଇ ଟ୍ୱିଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା ଖୁସିର ବିଷୟ ଯେ, ତ୍ରୟମାସିକ ରୋଜଗାର ସର୍ଭେର ତୃତୀୟ ପର୍ଯ୍ୟାୟ ( ଅକ୍ଟୋବର-ଡିସେମ୍ୱର 2021)ରେ ୯ଟି ସଂଗଠିତ କ୍ଷେତ୍ରରେ ୧୦ କିମ୍ୱା ଏହାଠୁ ଅଧିକ ଶ୍ରମିକଙ୍କ ରୋଜଗାର ପ୍ରଦାନ ମାମଲାରେ ବୃଦ୍ଧି ଘଟିଛି।

ସର୍ଭେ ଅନୁସାରେ, ଏହି ଅବଧିରେ ମେନ୍ୟୁଫେଚରିଂ କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ସବୁଠୁ ଅଧିକ ୧.୨୪ କୋଟି ରହିଥିଲା। ଏହା ସଂଗଠିତ କ୍ଷେତ୍ରର ମୋଟ ମାମଲାର ୩୯ ପ୍ରତିଶତ। ଏହା ପରେ ଶିକ୍ଷା ଉଦ୍ୟୋଗରେ ରୋଜଗାର ସଂଖ୍ୟା ୬୯.୨୬ ଲକ୍ଷ ରହିଥିଲା। ଏହା ମୋଟ ଶ୍ରମିକଙ୍କ ୨୨ ପ୍ରତିଶତ । ସେହିପରି ଆଇଟି-ବିପିଓ କ୍ଷେତ୍ରରେ ୩୪.୪୭ ଲକ୍ଷ, ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୨.୮୬ ଲକ୍ଷ, ଟ୍ରେଣ୍ଡରେ ୧୬.୮୧ ଲକ୍ଷ, ଟ୍ରାନ୍ସପୋର୍ଟରେ ୧୩.୨୦ ଲକ୍ଷ ଏବଂ ଫାଇନାନସିଆଲ ସର୍ଭିସେଜ୍ ସେକ୍ଟରରେ ୮.୮୫ ଲକ୍ଷ ଲୋକେ ଏହି ସମୟରେ କାମ କରୁଥିଲେ।



