ଇସ୍ରାଏଲ୍ରୁ ଦିଲ୍ଲୀରେ ପହଞ୍ଚିଲା ଭାରତୀୟଙ୍କୁ ନେଇ ଆସିଥିବା ତୃତୀୟ ଓ ଚତୁର୍ଥ ବିମାନ

‘ଅପରେସନ୍ ଅଜୟ’ ଅଭିଯାନ ସାହାଯ୍ୟରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍ରୁ ଭାରତୀୟମାନଙ୍କୁ ଆଣିଥିବା ତୃତୀୟ ଓ ଚତୁର୍ଥ ବିମାନ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି। ସେଥିରେ ୧୯୭ଜଣ ଭାରତୀୟଙ୍କୁ ନେଇ ଆସିଥିବା ଚାର୍ଟର୍ ବିମାନଟି ରବିବାର ପ୍ରତ୍ୟୁଷରେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ଇସ୍ରାଏଲ୍ ଫେରନ୍ତାମାନଙ୍କୁ ସ୍ୱାଗତ କରିବାକୁ କେନ୍ଦ୍ରମନ୍ତ୍ରୀ କୌଶଳ କିଶୋର ସେଠାରେ ଉପସ୍ଥିତ ଥିଲେ। ପ୍ରତ୍ୟେକ ଭାରତୀୟଙ୍କୁ ଗୋଟିଏ ଲେଖାଏଁ ଜାତୀୟ ପତାକା ଦେଇ ସେ ଅଭିନନ୍ଦନ ଜଣାଇଥିଲେ। ସେହିପରି, ଆଉ ୨୭୪ଜଣ ଭାରତୀୟଙ୍କୁ ଇସ୍ରାଏଲ୍ରୁ ଆଣି ଚତୁର୍ଥ ବିମାନଟି ମଧ୍ୟ ଆଜି ଦିଲ୍ଲୀରେ ଅବତରଣ କରିଛି। ଇସ୍ରାଏଲ୍ର ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ସ୍ଥାନୀୟ ସମୟ ରାତି ୧୧.୪୫ରେ ଏହି ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ଖବର ଅନୁସାରେ, ଅକ୍ଟୋବର ୭ ତାରିଖରୁ ‘ଏୟାର୍ ଇଣ୍ଡିଆ’ ଓ ଅନ୍ୟାନ୍ୟ ଏୟାର୍ଲାଇନ୍ ସବୁ ଇସ୍ରାଏଲ୍କୁ ବ୍ୟାବସାୟିକ ବିମାନ ଚଳାଚଳ ବନ୍ଦ କରିଦେଲେ। ଫଳରେ ସେଠାରେ ଫସି ରହିଥିବା ବା ସେଠାରୁ ଚାଲି ଆସିବାକୁ ଚାହୁଁଥିବା ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଲାଗି ଭାରତ ସରକାର ଅକ୍ଟୋବର ୧୧ ତାରିଖ ଦିନ ‘ଅପରେସନ୍ ଅଜୟ’ ଆରମ୍ଭ କରିଥିଲେ।


