ଚାଇନା ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ

ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା। ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଚାଇନା ଏକ ବିପଜ୍ଜନକ ଆଣବିକ ବୁଡ଼ାଜାହାଜ ବିକଶିତ କରୁଛି। ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଉଛି ଏହା ସମୁଦ୍ରକୁ ଅତି ଶାନ୍ତ ଭାବରେ ପାଟ୍ରୋଲିଂ କରିବାରେ ସକ୍ଷମ ହେବ ବୋଲି ସୂଚନା ମିଳିଛି। ଫଳରେ ଏହାକୁ ଚିହ୍ନିବା ବହୁତ କଷ୍ଟକର ହୋଇ ପଡିବ। ଅନୁମାନ କରାଯାଉଛି ଚାଇନା ଏହି ନୂତନ ଆଣବିକ ବୁଡ଼ାଜାହାଜ ନିର୍ମାଣକୁ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଶେଷ କରିବ। ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ କହିବା ଅନୁଯାଇ ଚାଇନା ୯୬ କିସମର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି। ଏହି ଆଣବିକ ବୁଡ଼ାଜାହାଜରେ ରୁଷୀୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି। ଯେଉଁଥିପାଇଁ ସମୁଦ୍ରରେ କାର୍ଯ୍ୟ କରିବା ସମୟରେ ଏହା ବହୁତ କମ ଶବ୍ଦ କରିବ। ଯାହା ଆମେରିକା ସମେତ ଅନ୍ୟ ସହଯୋଗୀ ଦେଶମାନଙ୍କ ପାଇଁ ଏହାକୁ ଟ୍ରାକ କରିବା କଷ୍ଟସାଧ୍ୟ କରିବ। ଗତ ମେ ମାସରେ ଆମେରିକାର ନାଭାଲ ୱାର୍ କଲେଜରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଏହା ଆଲୋଚନା କରାଯାଇଥିଲା ଏବଂ ଚାଇନାର ସାମୁଦ୍ରିକ ଅଧ୍ୟୟନ ପ୍ରତିଷ୍ଠାନ ଅଗଷ୍ଟରେ ପ୍ରକାଶିତ ଏକ ଆର୍ଟିକିଲରେ ନୂତନ ଆଣବିକ ବୁଡ଼ାଜାହାଜର ବୈଶିଷ୍ଟ୍ୟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ସମ୍ପ୍ରତି ଚାଇନା ଆଣବିକ ବୁଡ଼ାଜାହାଜ ଚାଇନା ସାଗର ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ପାଟ୍ରୋଲିଂ ଜାରି ରଖିଛି। ଭାରତ ଏବଂ ଜାପାନ ସମେତ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀମାନେ ଚାଇନା ଆଣବିକ ବୁଡ଼ାଜାହାଜ ଉପରେ ନଜର ରଖିଛନ୍ତି, କିନ୍ତୁ ୦୯୬ ବୁଡ଼ାଜାହାଜ ଆସିବା ପରେ ଏହି ଦେଶଗୁଡିକର ଆହ୍ବାନ ବହୁଗୁଣିତ ହେବ।