
ଦୀର୍ଘ ଦଶଦିନ ଧରା ପୃଷ୍ଟ ରେ ରହିବା ପରେ ଆଜି ମେଲାଣି ନେଉଛନ୍ତି ମା ଦୁର୍ଗା। ଭାଇଚାରା ସହର କଟକ ନଗରୀ ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ଫି ଉଠୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଏବେ ଏହା ଜମି ଆସୁଛି। ଯେଉଁଥିପାଇଁ କଟକ ସହର ଏବେ ଲୋକାରଣ୍ୟ ହୋଇଛି। ସହରର ବିଭିନ୍ନ ସ୍ଥାନରେ ମେଢମାନଙ୍କୁ ଦେଖିବା ଲାଗି ଲୋକେ ସପରିବାର ପହଂଚିଛନ୍ତି। ଏଣେ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି।ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ସେଥିପାଇଁ ଦେବୀଗଡ଼ାଠାରେ ପୂର୍ବରୁ କୁତ୍ରିମ ପୋଖରୀ ପ୍ରସ୍ତୁତ ମଧ୍ୟ କରାଯାଇଛି। ରାସ୍ତାଘାଟ ସଫା କରା ହେବା ସହ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। ଚଳିବର୍ଷ କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କୁ ମୃଣ୍ମୟୀ ମୂର୍ତ୍ତି ଆଜି ବିସର୍ଜିତ ହେବ। ଏଥିଲାଗି ବ୍ୟାପକ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ତେବେ ଏହି ଭସାଣି ଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଯେପରିକି ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯିବା ସହ କଲେଜ ଛକଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିବ ନାହିଁ । ଠିକ୍ ସେହିପରି ତିନିକୋଣିଆ ବଗିଚାରୁ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ମଧ୍ୟ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ଏଣେ ଚଣ୍ଡୀଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାର ବାଟଦେଇ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ଠିକ୍ ସେହିପରି ଜାଉଁଳିଆପଟିରୁ ଫିରଙ୍ଗି ବଜାର ଦେଇ ଦେବୀଗଡ଼ା ଯାଏ ବି ଯାନବାହନ ଚଳାଚଳ ମନା। ତେଣେ ଚୌଧୁରୀ ବଜାରରୁ ପୂର୍ଣ୍ଣ ସାହି ଯାଏ ବି ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ଏତିକି ନୁହଁ ଉକ୍ତ ନିୟମ ଉଲ୍ଲଂଘନ କରିଲେ, ୫୦୦ ଟଙ୍କାରୁ ୧ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯିବା ନେଇବି ଚେତାବନୀ ଦିଆଯାଇଛି।