ପ୍ରୋତ୍ସାହନ ରାଶି ରୂପେ ରାଜ୍ୟର ୭ ଖେଳାଳି ପାଇବେ ୧୦ ଲକ୍ଷ ଟଙ୍କା

ଆସନ୍ତାକାଲି ଠାରୁ ଚୀନର ହାଙ୍ଗଝୋଉ ଠାରେ ଚତୁର୍ଥ ଏସୀୟାନ ପାରା କ୍ରୀଡ଼ା ଆରମ୍ଭ ହେବାକୁ ଯାଇଛି। ଏଥିରେ ଖେଳିବାକୁ ଯାଉଥିବା ୭ଜଣ ଓଡି଼ଆ ପ୍ରତିଯୋଗୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ୭ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପ୍ରତ୍ସୋହନ ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଦଳରେ ମୋଟ୍ ୩୦୯ ଜଣ ପ୍ରତିଯୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ଓଡିଆ ଖେଳାଳି ରହିଛନ୍ତି । ସେମାନେ ହେଉଛନ୍ତି ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ନିଜର ଦକ୍ଷତା ପ୍ରଦର୍ଶନ କରି ରାଜ୍ୟକୁ ଗୌରବାନ୍ୱିତ କରିବେ । ତେବେ, ଏହି ସବୁ ଖେଳାଳୀ ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଉଚ୍ଚ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ। ଗତବର୍ଷ ଏସୀୟ ପାରା କ୍ରୀଡାରେ ବ୍ୟାଟମିଣ୍ଟନ ଡବଲ୍ସରେ ପ୍ରମୋଦ ଭଗବତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତେବେ, ଚଳିତ ବର୍ଷ ମଧ୍ୟ ତାଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିବ ବୋଲି ଆଶା କରାଯାଉଛି। ସେହିପରି, ଧାବିକା ଜୟନ୍ତୀ ବେହେରା ମଧ୍ୟ ୨୦୧୮ ମସିହାରେ ୪୦୦ ମିଟରରେ ରୈପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ। ଆଉ ସେହିପରି ସୌନ୍ଦର୍ଯ୍ୟ କୁମାର ଚେସରେ ରୌପ୍ୟ ହାସଲ କରିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।