ବିଶ୍ୱ ବନ୍ଧୁକ ପ୍ରତିଯୋଗିତାରେ ବିଶ୍ୱ ରେକର୍ଡ ଭାଙ୍ଗି ସୂର୍ଣ୍ଣ ପଦକ ଜିତିଲା ଭାରତ

ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିବସରେ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ‘ଭାରତୀୟ ପୁରୁଷଙ୍କ ୧୦ ମିଟର୍ ଏୟାର୍ ରଇଫଲ୍ ଟିମ୍’ ବିଶ୍ୱ ରେକର୍ଡ ସ୍କୋର୍ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତ ଜିଣିଥିବା ପ୍ରଥମ ସ୍ୱର୍ଣ୍ଣ ପଦକ। ଭାରତୀୟ ଟିମ୍ର ବିଶ୍ୱ ଚାମ୍ପିୟନ୍ ରୁଦ୍ରାଂଶ ବାଲାସାହିବ ପାଟିଲ୍, ଅଲିମ୍ପିକ୍ ଖେଳାଳି ଦିବ୍ୟାଂଶ ପାନ୍ୱାର୍ ଓ ଐଶ୍ବରୀ ପ୍ରତାପ ସିଂହ ତୋମାର୍ ଯୋଗ୍ୟତା ପର୍ଯ୍ୟାୟ ବା ‘କ୍ୱାଲିଫିକେସନ୍ ରାଉଣ୍ଡ୍’ରେ ୧୮୯୩.୭ ପଏଣ୍ଟ୍ ସ୍କୋର୍ କରି ଚୀନ୍ ସ୍ଥାପନ କରିଥିବା ୧୮୯୩.୩ ସ୍କୋର୍ବିଶିଷ୍ଟ ବିଶ୍ବ ରେକର୍ଡ ଭଙ୍ଗ କରିଛନ୍ତି। ପ୍ରାୟ ମାସେ ପୂର୍ବେ ଆଜର୍ ବୈଜାନ୍ର ବାକୁରେ ଆୟୋଜିତ ‘ୱାର୍ଲଡ୍ ଚାମ୍ପିୟନ୍ସିପ୍’ରେ ଚୀନ ଏହି ରେକର୍ଡ ସୃଷ୍ଟି କରିଥିଲା। ଆଜିର ଏହି ପ୍ରତିଯୋଗିତାରେ ରୁଦ୍ରାଂଶ ୬୩୨.୫, ତୋମାର୍ ୬୩୧.୬ ପାନ୍ୱାର୍ ୬୨୯.୬ ପଏଣ୍ଟ୍ ସ୍କୋର୍ କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିରେ ୧୮୯୦.୧ ପଏଣ୍ଟ୍ ସ୍କୋର୍ କରି ଦକ୍ଷିଣ କୋରିଆ ଦ୍ୱିତୀୟ ଟିମ୍ ଭାବେ ରୌପ୍ୟ ପଦକ ଓ ୧୮୮୮.୨ ପଏଣ୍ଟ୍ ସ୍କୋର୍ କରି ତୃତୀୟ ସ୍ଥାନରେ ଥିବା ଚୀନ୍ କାଂସ୍ୟ ପଦକ ହାସଲ କରିଛି। ସୂଚନାଯୋଗ୍ୟ, ସ୍ବର୍ଣ୍ଣ ପଦକ ଜିଣିବା ପରେ ୩ ଭାରତୀୟ ସୁଟର୍ ’୧୦ ମିଟର୍ ଏୟାର୍ ରାଇଫଲ୍’ ପ୍ରତିଯୋଗିତାର ଶ୍ରେଷ୍ଠ-୮ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। କିନ୍ତୁ, ‘ଏସୀୟ କ୍ରୀଡ଼ା’ର ନିମୟ ଅନୁସାରେ ପ୍ରତ୍ୟେକ ଦେଶରୁ ୨ଜଣ ଲେଖାଏଁ ପ୍ରତିଯୋଗୀ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହେବେ। ତେଣୁ, ରୁଦ୍ରାଂଶ ଓ ଐଶ୍ବରୀ ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।