
ପିଲାଦିନେ କେତେ ଭୋଜି ମୁଁ ଖାଇଛି
ଠାକୁର ଦାଣ୍ଡ ରେ ବସି,
ମୁଗ ଖେଚୁଡ଼ି କୁ ସିରିଣୀ ଚକଟା
ବାଳ ଭୋଗ ଲଡ଼ୁ ରାଶି l
ଅଷ୍ଟ ପ୍ରହରୀ ରେ ପଙ୍ଗତେ ପତର
ଧରି ତଳେ ଯାଉ ବସି,
ଡାଲମା, ଖଟା କୁ ଅରୁଆ ଅନ୍ନ ଯେ
ଅମୃତ ପରାଏ ବାସି l
ଏକୋଇଶିଆ ରେ ପୁରୀ ବୁଟ ଡାଲି
ଖିରି କଦଳୀ ଚକଟା,
ପତର କୁ ଶୋଭା ଟମାଟର ଖଟା
ସାଥେ ମାମୁଁ ଘର ମିଠା l
ବାହା ପୁଆଣୀ ରେ ବିରି ଡାଲି ସାଥେ
ଭାତ,ଓଉଖଟା,ଖିରି,
ମରିଚ ପାଣି କୁ ପୋଟଳ ରସା ଯେ
ନାନା ବିଧ ତରକାରୀ l
ମଡ଼ା ପୋଡା ପରେ ଦାଣ୍ଡ ଦୁଆର ରେ
ପତରେ ଚୁଡା ହୁଡୁମ,
ବସା ଦହି ସାଙ୍ଗେ ଗୁଡ଼ ନଡ଼ିଆ ର
ଅପୂର୍ବ ସେହି ମିଳନ l
ନବମୀ ପଣା ରୁ ବାର ପତର ଯେ
ଭୋଜି ଭାତ ର ଆସର,
ମିଠା,ପିଠା ପଣା, ଛଣା ଛଣି ଲୁଣି
ବାସ ଆସେ ଆମିଷ ର l
ବାର ମାସେ ତେର ଓଷା ବ୍ରତ ସବୁ
ସଜେଇ ରଖିଚୁ ଆମେ,
ଜନମ ରୁ ମୃତ୍ୟୁ ଖାଇବା ପାଇଁକି
ନାନା ଠାକୁରଙ୍କ ନାମେ l
ଖାଦ୍ୟ ପ୍ରିୟ ଆମ ଜଗତର ନାଥ
ଏଠି ତାଙ୍କ ଖାଦ୍ୟ ସ୍ଥାନ,
ଷାଠିଏ ପଉଟି ଭୁଞ୍ଜିବା ଉତ୍ତାରୁ
ପୋଡ଼ ପିଠା ଠେଇଁ ମନ l
ଖାଇବା ଖୋଇବା ଚାଲିଥାଉ ନିତି
ଥାଉ ପ୍ରଭୁ ଆଶୀର୍ବାଦ,
ପୁରିଗଲେ ପେଟ ହୃଦୟ ହସିବ
ସବୁ କାମ ହେବ ସିଦ୍ଧ l
ଲେଖା :ଦିଲ୍ଲୀପ ଶତପଥୀ