ଦେଶ ବିଦେଶ

ସାମ୍ନାକୁ ଆସିଲା ଗୁରପତୱନ୍ତ ସିଂହଙ୍କ ଦେଶ ବିଭାଜନ ଷଡଯନ୍ତ୍ରର କଥା

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌ ଭାରତକୁ ବିଭାଜନ କରି ଅନେକ ରାଷ୍ଟ୍ର ସୃଷ୍ଟି କରିବାପାଇଁ ଚାହିଁଥିଲା। ପନ୍ନୁନ୍‌କୁ ନେଇ ଏନ୍‌ଆଇଏ ଦ୍ବାରା ପ୍ରସ୍ତୁତ ହୋଇଥିବା ଡୋଜିୟର ଅନୁଯାୟୀ ଦେଶର ଏକତା ଏବଂ ଅଖଣ୍ଡତାକୁ ଚ୍ୟାଲେଂଜ କରିଥିଲା ଏବଂ କାଶ୍ମୀର ଲୋକଙ୍କ ପାଇଁ ଏକ ପୃଥକ୍‌ ରାଷ୍ଟ୍ର ଏବଂ ଏକ ମୁସଲିମ ରାଷ୍ଟ୍ର ସୃଷ୍ଟି କରିବାପାଇଁ ଚାହିଁଥିଲା। ଏକ ନୂଆ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌ ଧର୍ମ ଆଧାରରେ ଭାରତକୁ ବିଭାଜନ କରିବାପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ପନ୍ନୁନ୍‌ର କାର୍ଯ୍ୟକଳାପ ଏବଂ ପନ୍ନୁନ୍‌ କିଭଳି ଧର୍ମ ଆଧାରରେ ଦେଶକୁ ବିଭାଜନ କରିବାର ଯୋଜନା କରିଥିଲା ତାକୁ ନେଇ ସୁରକ୍ଷା ସଂସ୍ଥା ଦ୍ବାରା ନିକଟରେ ଏକ ନୂଆ ଡୋଜିୟର ପ୍ରସ୍ତୁତ ହୋଇଥିଲା। ଏହି ଡୋଜିୟର ଅନୁଯାୟୀ ପନ୍ନୁନ୍‌ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ୧୬ଟି ମାମଲା ରୁଜୁ ହୋଇଛି।ଦିଲ୍ଲୀ, ପଂଜାବ, ହିମାଚଳପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ପନ୍ନୁନ ବିରୋଧରେ ମାମଲା ରହିଛି। ତେବେ ପନ୍ନୁନ ଏବେ ଆମେରିକାରେ ରହୁଛି। ରିପୋର୍ଟ ଅନୁଯାୟୀ ପନ୍ନୁନ ଧର୍ମ ଆଧାରରେ ଭାରତକୁ ବିଭିନ୍ନ ରାଷ୍ଟ୍ରରେ ପରିଣତ କରିବାର ଏଜେଣ୍ଡା ପ୍ରସ୍ତୁତ କରିଥିଲା। ସେ ଭାରତର ଏକ ଅଂଶକୁ ମୁସଲିମ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିବା ସହ କାଶ୍ମୀରର ଲୋକଙ୍କୁ କଟରପନ୍ଥୀ କରି କାଶ୍ମୀରକୁ ଭାରତଠୁ ଅଲଗା କରିବାର ତା’ର ଲକ୍ଷ୍ୟ ଥିଲା। ଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ପନ୍ନୁନ୍‌ ଖଲିସ୍ତାନୀ ପତାକା ଉଡ଼ାଇବାର ଧମକ ମଧ୍ୟ ଦେଇଥିଲା। ଖବର ଅନୁସାରେ ପନ୍ନୁନ୍‌ ଅମୃତସରରେ ଜନ୍ମ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ସମୟରେ ତା’ ପରିବାର ପାକିସ୍ତାନରୁ ଅମୃତସରକୁ ଚାଲି ଆସିଥିଲେ। ତା’ ବାପା ମହେନ୍ଦ୍ର ସିଂହ ପଂଜାବର ଏକ କମ୍ପାନିରେ କାମ କରନ୍ତି। ପନ୍ନୁନର ଜଣେ ଭାଇ ଅଛି ଏବଂ ତା’ ନାଁ ହେଉଛି ମଗୱନ୍ତ ସିଂହ। ତେବେ ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଭାରତ ସହ ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି, କିନ୍ତୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି କହିଛନ୍ତି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତବିରୋଧୀ ଅଭିଯୋଗ ପରେ କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀ ବିଲ ବ୍ଲେୟାର ଉପରୋକ୍ତ ବୟାନ ଦେଇଛନ୍ତି। ଏହା ଛଡା ବ୍ଲେୟାର କହିଛନ୍ତି, ଆମେ ବୁଝିପାରୁଛୁ ଯେ ଭାରତ ସହ ଆମର ସମ୍ପର୍କକୁ ନେଇ ଏହା ଏକ ଚ୍ୟାଲେଞ୍ଜିଂ ପ୍ରସଙ୍ଗ ହୋଇପାରେ। କିନ୍ତୁ ଏହା ସହିତ ଆମେ ଉପଯୁକ୍ତ ତଦନ୍ତ କରି ସତ ସାମ୍ନାକୁ ଆଣିବୁ। ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ଆମର ସାର୍ବଭୌମତ୍ୱ ଉଲ୍ଲଂଘନକୁ ନେଇ ଉଦ୍‌ବେଗ ପ୍ରକାଶ କରିବାର ଯଥେଷ୍ଟ କାରଣ ରହିଛି ବୋଲି ସେ କହିଛନ୍ତି। ଆମେରିକାର ଶୀର୍ଷ କୂଟନୀତିଜ୍ଞ ଡେଭିଡ୍ କୋହେନ୍ ଦାବି କରିଛନ୍ତି ଯେ, ‘ଫାଇଭ୍ ଆଇଜ୍’ ଅଂଶୀଦାରମାନଙ୍କ ମଧ୍ୟରେ ଆବଣ୍ଟିତ ଗୁଇନ୍ଦା ସୂଚନା ହିଁ ଜଷ୍ଟିନ ଟ୍ରୁଡୋଙ୍କୁ ଭାରତ ବିରୋଧରେ ଅଭିଯୋଗ କରିବାକୁ ପ୍ରେରିତ କରିଥିଲା। ଗତ ସପ୍ତାହରେ କାନାଡା ପ୍ରଧାନମନ୍ତ୍ରୀ ବିସ୍ଫୋରକ ଅଭିଯୋଗ ଆଣିଥିଲେ ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ଗୁଳି କରିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି। କାନାଡା ଘୃଣ୍ୟ ଅପରାଧ ଓ ହିଂସାକୁ ରାଜନୈତିକ ଭାବେ ପ୍ରୋତ୍ସାହିତ କରୁଥିବା ଭାରତ ଅଭିଯୋଗ କରିଛି। କାନାଡାରେ ଥିବା ନିଜ ନାଗରିକ ଏବଂ ସେଠାକୁ ଯାତ୍ରା କରିବାକୁ ଚିନ୍ତା କରୁଥିବା ଲୋକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ଏହି ଅଭିଯୋଗକୁ ନେଇ ୱାସିଂଟନ ଗଭୀର ଭାବରେ ବିଚାର କରୁଛି ଏବଂ ସେମାନେ ଏହି ମାମଲାରେ ଉତ୍ତରଦାୟିତ୍ୱ ଦେଖିବାକୁ ଚାହୁଛନ୍ତି। କାନାଡାରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଆପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରମାଣ ଦିଆଯାଇଥିଲେ ମଧ୍ୟ କାନାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଭାରତ ଅଭିଯୋଗ କରିଛି। ଜୁନ୍ ମାସରେ କାନାଡାର ଏକ ଗୁରୁଦ୍ୱାରା ବାହାରେ ୪୫ ବର୍ଷୀୟ ନିଜାରକୁ ଗୁଳି କରି ହତ୍ୟା କରାଯାଇଥିଲା।

 

Show More

Related Articles

Back to top button