ହକି ସ୍ବର୍ଣ୍ଣ ବିଜୟୀ ଅମିତଙ୍କୁ ରାଜ୍ୟ ସରକାରଙ୍କର ଦେଢ଼ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ବର: ଏସୀୟ ହକି ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମ୍ର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୦୯ରେ ଉପକନିଷ୍ଠ ଏସିଆ କପ୍ରେ ଭାଗନେବା ସହ ୨୦୧୨ରେ ଏସିଆନ ଚାମ୍ପିଅନସିପ୍ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୨ରେ ଲଣ୍ଡନ ଅଲମ୍ପିକ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ପ୍ରତିଯୋଗିତା; ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍ (ରୌପ୍ୟ), ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍ (କାଂସ୍ୟ), ଏସିଆ କପ୍ ବିଜୟୀ ଦଳର ସଦସ୍ୟ ଥିଲେ। ୨୦୨୧ରେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ। ତାଙ୍କ ବାପାଙ୍କ ଇଚ୍ଛା ଥିଲା, ପୁଅ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିବ। ବାପାଙ୍କ ଏହି ଇଚ୍ଛା ପୂରଣ କରିଥିଲେ ଅମିତ। ୨୦୨୧ରେ ଅଲିମ୍ପିକ୍ରେ କାଂସ୍ୟ ପଦକ ଜିତି ରଚିଥିଲେ ଇତିହାସ। କିନ୍ତୁ ପୁଅର କୀର୍ତ୍ତି ଦେଖିବା ପୂର୍ବରୁ ୨୦୨୦ ଅକ୍ଟୋବର ୧୮ରେ କିଡ୍ନି ରୋଗରେ ଆଖି ବୁଜି ଦେଇଥିଲେ ବାପା ଗୋପାଳ। ଇତିହାସ ରଚିଥିବା ଅମିତ ଭାରତୀୟ ହକି ଦଳର ଉପଅଧିନାୟକ ଭାର ସମ୍ଭାଳି ଏଯାଏ ରକ୍ଷଣଭାଗ ଖେଳାଳି ଭାବେ ଚମତ୍କାର କ୍ରୀଡ଼ା ପ୍ରଦର୍ଶନ କରିଆସୁଛନ୍ତି। ଏହି ବିଜୟୀ ଅବସରରେ ତାଙ୍କ ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ନବୀନ ପଟ୍ଟନାୟକ।