ଦେଶ ବିଦେଶ
ହମାସ୍ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍ଦାର୍

ସୋମବାର ହେଉଛି ଇସ୍ରାଏଲ-ହମାସ୍ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଭାବେ ଆକ୍ରମଣ ଜାରି ରହିଛି। ତେବେ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଥିବା ବେଳେ ୧୪୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଗାଜାରେ ଇସ୍ରାଏଲ ସୈନିକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇସ୍ରାଏଲର ସୈନ୍ୟମାନେ ହମାସ୍ ଦ୍ୱାରା ବନ୍ଧକ ଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ଇସ୍ରାଏଲକୁ ନେବାକୁ ଚେଷ୍ଟା କରୁଛନ୍ତି। ସୋମବାର ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏହାର ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛି, ଆଜି ଅକ୍ଟୋବର ୩୦। ଏହା ସିରିଆର ଏକ ଅଞ୍ଚଳରେ ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି, ଏହା ସିରିଆ ଆକ୍ରମଣର ପ୍ରତିଶୋଧ। ଏହି ଯୁଦ୍ଧ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିପାରେ, ଯେଉଁଥି ପାଇଁ ଇସ୍ରାଏଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଇସ୍ରାଏଲ ପ୍ରତିରକ୍ଷା ବିଭାଗ କହିଛି।