ହଷ୍ଟେଲରୁ ମିଳିଲା ଯୁବ ଡାକ୍ତରଙ୍କ ମୃତ ଦେହ

ଆଖି ବୁଝିଲେ ଯୁବ ଡାକ୍ତର ତଥା ହାଉସ ସର୍ଜନ ସଚିନ ସାହୁ। ହଷ୍ଟେଲ ରୁମରୁ ମିଳିଲା ସଚିନଙ୍କ ମୃତଦେହ । ସଚିନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଅନେକ ପ୍ରଶ୍ନର କାରଣ ଖୋଜୁଛି ପୋଲିସ୍ । ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆରଏମ୍ ମେଡିକାଲ କଲେଜ (Pandit Raghunath Murmu Medical College) ହଷ୍ଟେଲ ରୁମ୍ରୁ ହାଉସ ସର୍ଜନ ସଚିନ ସାହୁଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ତେବେ, ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ହାଉସ ସର୍ଜନ ସଚିନ ସାହୁଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି। ତେବେ ସଚିନ୍, ଡାକ୍ତରୀ ପାଠପଢା ଶେଷ କରିବା ପରେ, ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ କାର୍ଯ୍ୟ କରୁଥିଲେ। ଏବଂ କଲେଜ ହଷ୍ଟେଲରେ ରହୁଥିଲେ। ସଚିନ ଅତି ଶାନ୍ତ ସରଳ ସ୍ୱଭାବର ଥିଲେ ବୋଲି ସେଠାକାର ଛାତ୍ରମାନେ କହିଛନ୍ତି । କିନ୍ତୁ ଗତକାଲି (ଶୁକ୍ରବାର) ମେଡିକାଲରୁ ସଚିନ କାମ ସାରି ହଷ୍ଟେଲକୁ ଫେରିଥିଲେ। ଆଉ ନିଜ ରୁମରେ ବିଶ୍ରାମ ନେଉଥିଲେ। ସଚିନ୍ ଅଧିକ ମିଳାପି ପ୍ରକୃତିର ଥିବାରୁ ସେ ନିଜ ହଷ୍ଟେଲର ଅନ୍ୟ ଛାତ୍ରଙ୍କ ରୁମକୁ ଯାଇ ଗପସପ ମଧ୍ୟ କରନ୍ତି । କିନ୍ତୁ ଗତକାଲି ମେଡିକାଲରୁ ଫେରିବା ପରେ ସେ କାହା ରୁମକୁ ଯାଇନଥିଲେ କି ନିଜ ରୁମର କବାଟ ଖୋଲି ନଥିଲେ। ଯାହାକୁ ନେଇ ଅନ୍ୟଛାତ୍ରମାନଙ୍କ ମନରେ ସନ୍ଦେହ ବଢିଥିଲା। ଏବଂ ସେମାନେ କବାଟ ବାଡେଇଥିଲେ। କିନ୍ତୁ ସଚିନ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ କବାଟ ଭାଙ୍ଗିଥିଲେ। ଆଉ ସଚିନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଛାତ୍ରମାନେ। ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।