୧୪ ତାରିଖ ସକାଳେ ଅନୁଗୋଳ, ବୌଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଜିଲାରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡିର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ସୁନ୍ଦରଗଡରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୩ ଡିଗ୍ରୀ ଉପରେ ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ହ୍ରାସ ପାଇବ।
ଉପକୂଳ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ତଳକୁ ଖସି ଆସିବ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଦିନର ତାପମାତ୍ରା ପ୍ରାୟ ୩୨ରୁ ୩୪ ଡିଗ୍ରୀ ମଧ୍ୟରେ ରହିବ। ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିଲେ ମଧ୍ୟ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ନାହିଁ। ଏହିଭଳି ଭାବେ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ରହିବ; କିନ୍ତୁ ଫେବୃଆରୀ ୭/୮ ତାରିଖରୁ ଆସ୍ତେ ଆସ୍ତେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଘନ କୁହୁଡି ଦୃଶ୍ୟମାନକୁ ଲକ୍ଷ୍ୟ କରି ଏସ୍ଆରସି ଜିଲାପାଳମାନଙ୍କ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।