ଆଜି ୧୨ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ
ଆଜି ୧୨ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ ଅନୁଷ୍ଠିତ ହୋଇଛି । ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଛି । ୩୫୩ ଜାତୀୟ ରାଜପଥ ଖଡିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।
ସକାଳ ୬ଟାରୁ ନୂଆପଡ଼ା, ଖଡ଼ିଆଳ, ସିନାପାଲି, ବୋଡ଼େନ, କୋମନାରେ ଓବିସି ମଞ୍ଚର କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ଼ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ବୋଡ଼େନ ଓ ସିନାପାଲି ବ୍ଲକ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି ।
ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ପଞ୍ଚାୟତ ନିର୍ବାଚନରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ନୂଆପଡ଼ା ଜିଲ୍ଲାରେ ମାତ୍ର ୨.୦୮ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ଜିଲ୍ଲାର ୧୩୧ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ମାତ୍ର ୪ଟି ଗ୍ରାମପଞ୍ଚାୟତରେ ପଛୁଆ ବର୍ଗଙ୍କୁ ସ୍ଥାନ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ପାଇଁ କମିଶନର ରିପୋର୍ଟ ଭିତ୍ତି କରି ସଂରକ୍ଷଣ ବ୍ୟବସ୍ଥା ପାଇଁ ସରକାରଙ୍କୁ ଆହ୍ୱାନ କରିଛନ୍ତି । ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।