ୟୁକ୍ରେନ ଓ ଋଷିଆ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ମଙ୍ଗଳବାର ଭାରତରେ ଶେୟାର ମାର୍କେଟ ଖୋଲିବାମାତ୍ରେ ହ୍ରାସର ସମ୍ମୁଖୀନ ହୋଇଥିଲା। ଓପନିଂ ଆୱାର କାରବାରରେ ସେନସେକ୍ସରେ ୧୦୦୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସଦେଖା ଦେଇଥିଲା। ତେବେ ଏହି ହ୍ରାସ ବେଶି ସମୟ ତିଷ୍ଠିପାରି ନାହିଁ। ପରେ ବଜାରରେ ପୁଣି ଚମକ ଫେରିଥିବା ବେଳେ ରିକୋଭରି ଆରମ୍ଭ ହୋଇଥିଲା। ଫଳରେ ବନ୍ଦ ହେବା ବେଳକୁ ସୂଚକାଙ୍କ ୩୮୨.୯୧ ପ୍ରତିଶତ ହ୍ରାସ ସହ ୫୭,୩୦୦.୬୮ ଓ ନିଫ୍ଟି ୧୧୪.୪୫ ପଏଣ୍ଟ ହ୍ରାସ ସହ ୧୭,୦୯୨.୨୦ ଅଙ୍କରେ ବନ୍ଦ ହୋଇଛି।
ପୂର୍ବ ୟୁକ୍ରେନକୁ ସେନା ପଠାଇବା ନିମନ୍ତେ ଋଷିଆର ଆଦେଶ ମଙ୍ଗଳବାର ଭାରତୀୟ ଶେୟାର ବଜାରକୁ ଗୁରୁତର ପ୍ରଭାବିତ କରିଥିଲା। ତେବେ କେବଳ ଭାରତ ନୁହେଁ ଜାପାନ, ହଙ୍ଗକଙ୍ଗ, କୋରିଆ ଓ ଚୀନ ଆଦି ଦେଶମାନଙ୍କର ଶେୟାର ବଜାରରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ନିକେଇ ୨.୨ ପ୍ରତିଶତ ହ୍ରାସର ସମ୍ମୁଖୀନ ହୋଇଥିବା ବେଳେ ହଙ୍ଗକଙ୍ଗ ସେୟାର ବଜାର ହାଙ୍ଗସେଙ୍ଗ ୩.୨ ପ୍ରତିଶତ, କୋରିଆର କୋସ୍ପିରେ ୧.୮ ପ୍ରତିଶତ ଓ ଚୀନର ସାଂଘାଇ କମ୍ପୋଜିଟ୍ ପ୍ରାରମ୍ଭିକ କାରବାରରେ ୧.୨ ପ୍ରତିଶତ ହ୍ରାସର ସମ୍ମୁଖୀନ ହୋଇଥିଲା। ବଜାର ଉପରେ କିପରି ରହିବ ୟୁକ୍ରେନ ସଂକଟର ପ୍ରଭାବ
ଯଦି ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ନ ହୁଏ ତେବେ ଶେୟାର ବଜାରରେ ପୁଣି ଚମକ ଫେରିବ ବୋଲି ଜିଓଜିତ୍ ଫାଇନାନସିଆଲ ସର୍ଭିସେସ୍ଙ୍କ ମୁଖ୍ୟ ଇନଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଡା. ବି.କେ. ବିଜୟ କୁମାର କହିଛନ୍ତି।
ହେଲେ ଯେଉଁ ପର୍ଯ୍ୟନ୍ତ ଅନିଶ୍ଚିତତାର ମାହୋଲ ରହିଛି ସେ ପର୍ଯ୍ୟନ୍ତ ନିବେଶକଙ୍କୁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି। ଅପରପକ୍ଷେ ଅଶୋଧିତ ତୈଳ ମୂଲ୍ୟରେ ହେଉଥିବା ବୃଦ୍ଧିର ପ୍ରଭାବ ଟାୟର ଓ ପେଣ୍ଟସ ବଜାର ଉପରେ ପଡୁଛି। ହେଲେ ଏଥିରୁ ସରକାରୀ କମ୍ପାନୀ ଓଏନଜିସି ଲାଭବାନ ହେଥିବାସେ କହିଛନ୍ତି।
ଟିସିଏସ୍ରେ ହୋଇଛି ସବୁଠୁ ବଡ ହ୍ରାସ
ସେନସେକ୍ସର ସମସ୍ତ ୨୦ଟି ଜାକ ସେୟାର ମଙ୍ଗଳବାର ବଜାର ଖୋଲିବାମାତ୍ରେ ହ୍ରାସର ସମ୍ମୁଖୀନ ହୋଇଥିଲେ। ଏଥିରେ ଟିସିଏସର ସେୟାରରେ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ୩୫୮୬ରେ ବନ୍ଦ ହୋଇଥିଲା। ସେହିପରି ଭାରତୀ ଏୟାରଟେଲ ଓ ଆଇଟିସି ସେୟାର ମଧ୍ୟ ହ୍ରାସର ସମ୍ମୁଖୀନ ହୋଇଛନ୍ତି।