
ସ୍ମାର୍ଟଫୋନ୍ ନିର୍ମାତାକାରୀ କମ୍ପାନୀ ଭିଭୋ ଇଣ୍ଡିଆ ପାଖାପାଖି ୨୨୧୭ କୋଟି ଟଙ୍କାର ସୀମା ଶୁଳ୍କ ଚୋରି କରିଥିବା ଡିରେକ୍ଟର ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ(ଡିଆରଆଇ)ର ତଦନ୍ତରୁ ଜଣା ପଡିଛି। ଅର୍ଥ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଡିଆରଡିଆଇର ଅଧିକାରୀ ଚୀନର ଭିଭୋ ଟେକ୍ନୋଲୋଜିର ସବସିଡିପ୍ରାପ୍ତ ଭିଭୋ ଇଣ୍ଡିଆର ମ୍ୟାନୁଫେକଚରିଂ ପ୍ଲାଣ୍ଟର ତଲାସି ନେଇଥିଲେ। ଏହି ସମୟରେ ଅଧିକାରୀଙ୍କୁ ମୋବାଇଲ୍ ଫୋନ ନିର୍ମାଣରେ ବ୍ୟବହୃତ କିଛି ବସ୍ତୁର ଆମଦାନୀ ବିବରଣୀରେ ଜାଣିଶୁଣି ଭୁଲ୍ ସୂଚନା ଦିଆଯିବାର ଆପତ୍ତିଜନକ ପ୍ରମାଣ ମିଳିଥିଲା। ଏହି ଭୁଲ୍ ସୂଚନା ଆଧାରରେ ଭିଭୋ ଇଣ୍ଡିଆ ୨୨୧୭ କୋଟି ଟଙ୍କାର ଅନୁଚିତ ଶୁଳ୍କ ରିହାତି(କଷ୍ଟମ ଡ୍ୟୁଟି)ର ଭୁଲ୍ ଫାଇଦା ଉଠାଇଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ଯାଞ୍ଚ ପୂରା ହେବା ପରେ ଭିଭୋ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନୋଟିସ୍ରେ ସୀମା ଶୁଳ୍କ ଅଧିନିୟମ ୧୯୬୨ ପ୍ରାବଧାନ ଆଧାରରେ କମ୍ପାନୀକୁ ୨୨୧୭ କୋଟି ଟଙ୍କାର ସୀମା ଶୁଳ୍କ ପୈଠ କରିବାକୁ କୁହାଯାଇଛି।
ଅନ୍ୟପକ୍ଷେ ଭିଭୋ ନିଜର ଅଲଗା ଅଲଗା ସୀମା ଶୁଳ୍କ ନେଣଦେଣ ପାଇଁ ସ୍ଵେଚ୍ଛାକୃତ ୬୦ କୋଟି ଟଙ୍କା ଜମା କରିଛି। ଏହା ପୂର୍ବରୁ ଡିଆରଡିଆଇ ନିକଟରେ ମୋବାଇଲ୍ ଫୋନ କମ୍ପାନୀ ଓପୋକୁ ମାେଟ୍ ୪୩୮୯ କୋଟି ଟଙ୍କାର ସୀମା ଶୁଳ୍କ ପୈଠ କରିବାକୁ ନୋଟିସ୍ ଜାରି କରିଥିଲା। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାରେ କହିଥିଲେ, ଚୀନର ୩ ମୋବାଇଲ୍ ଫୋନ ନିର୍ମାତାକାରୀ କମ୍ପାନୀ ଓପ୍ପୋ, ଭିଭୋ ଏବଂ ସାଓମୀ ଦ୍ଵାରା ଟ୍ୟାକ୍ସ ଚୋର କଥା ସାମ୍ନାକୁ ଆସିଛି। ଏହି କମ୍ପାନୀଗୁଡିକ ବିରୋଧରେ ଅନେକ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଜାରି ରହିଛି।