Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

ରାଜନୀତିରେ ୨୫ ବର୍ଷ ପୂର୍ତ୍ତି: ଆଡଭାନୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୋଦି। ଏହି ସାକ୍ଷାତର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋରେ ମୋଦି ଆଡଭାନୀଙ୍କ ହାତ ଉପରେ ହାତ ରଖି ଆଲୋଚନା କରୁଥିବା ଦେଖାଯାଇଛି।

୨୦୦୧ ଅକ୍ଟୋବର ୭ରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାକୁ ତାଙ୍କ ସକ୍ରିୟ ଶାସନ ଯାତ୍ରାର ଆରମ୍ଭ ଭାବେ ଗଣାଯାଏ। ୨୫ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀର ସରୋଜିନୀ ନଗରସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ସଭାକୁ ସମ୍ବୋଧିତ କରିଥିଲେ ମୋଦି।

ନିଜ ରାଜନୈତିକ ଯାତ୍ରାକୁ ମନେ ପକାଇ ମୋଦି କହିଛନ୍ତି ଯେ, ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ସମୟରେ ସେ ଦିନେ ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚିବେ ବୋଲି କେବେ ଚିନ୍ତା କରିନଥିଲେ। ୨୫ ବର୍ଷର ଯାତ୍ରାକୁ ସେ ନିରନ୍ତର ସେବାର ଯାତ୍ରା ବୋଲି ବର୍ଣ୍ଣନା କରିବା ସହ ଭାଜପା, ଏନ୍‌ଡିଏ ସହଯୋଗୀ ଦଳ ଓ ରାଜନୈତିକ ସାଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୋଦି କହିଛନ୍ତି, ୨୫ ବର୍ଷ ପୂରଣ ନିଜକୁ ପ୍ରଶଂସା କରିବାର ସମୟ ନୁହେଁ, ବରଂ କୃତଜ୍ଞତା ପ୍ରକାଶର ମୁହୂର୍ତ୍ତ। ବ୍ୟକ୍ତିଗତ ଆକାଂକ୍ଷା ନୁହେଁ, ସେବା ଓ ମିଶନର ଭାବନା ତାଙ୍କୁ ଆଗକୁ ବଢ଼ାଇଛି। ସମର୍ଥକଙ୍କ ସହ ସମାଲୋଚକମାନେ ମଧ୍ୟ ତାଙ୍କ ଯାତ୍ରାରେ ଅବଦାନ ରଖିଛନ୍ତି ବୋଲି ସେ କହିଛନ୍ତି। ୨୫ ବର୍ଷ ପୂର୍ତ୍ତି ବିଶ୍ରାମ ନୁହେଁ, ସେବାର ଆଉ ଏକ ପର୍ଯ୍ୟାୟର ଆରମ୍ଭ ବୋଲି କହି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ସଂକଳ୍ପ ଦୋହରାଇଛନ୍ତି।

Show More

Related Articles

Back to top button