Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସାମୁଦ୍ରିକ ଶକ୍ତି ବଢ଼ାଇବ ଭାରତ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସାମୁଦ୍ରିକ ଯୁଦ୍ଧ କ୍ଷମତାକୁ ଆହୁରି ମଜଭୁତ କରିବା ଲାଗି ବଡ଼ ପଦକ୍ଷେପ ନେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ନୌସେନାର ଯୁଦ୍ଧପୋତ ପାଇଁ ବ୍ରହ୍ମୋସ୍ ଫାୟାର କଣ୍ଟ୍ରୋଲ୍ ସିଷ୍ଟମ୍ ଓ ଲଞ୍ଚର କିଣିବାକୁ ୬୬୧.୫୦ କୋଟି ଟଙ୍କାର ଚୁକ୍ତି କରାଯାଇଛି। ଅକ୍ଟୋବର ୬ରେ ବ୍ରହ୍ମୋସ୍ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍‌ (ବିଏପିଏଲ୍‌) ସହ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

‘ବାୟ (ଭାରତୀୟ-ଆଇଡିଡିଏମ୍‌)’ ଶ୍ରେଣୀରେ ଏହି ଚୁକ୍ତି ହୋଇଥିବା ବେଳେ ରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଥିଲା। ପ୍ରକଳ୍ପରେ ଅତିକମରେ ୬୮ ପ୍ରତିଶତ ସ୍ୱଦେଶୀ ଉପାଦାନ ରହିବ। ଏହା ଭାରତର ପ୍ରତିରକ୍ଷା ଉତ୍ପାଦନ ଓ ଆତ୍ମନିର୍ଭରତାକୁ ଆହୁରି ଗତି ଦେବ।

ବ୍ରହ୍ମୋସ୍ ଭାରତୀୟ ନୌସେନାର ପ୍ରମୁଖ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରଣାଳୀ। ଏହା ଦ୍ରୁତ ଗତିରେ ସମୁଦ୍ର ଓ ସ୍ଥଳଭାଗରେ ଥିବା ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖେ। ନୌସେନାର ଅନେକ ଯୁଦ୍ଧପୋତରେ ଏହା ମୁତୟନ ହୋଇସାରିଛି।

ମନ୍ତ୍ରଣାଳୟ କହିଛି, ଏହି ପ୍ରକଳ୍ପରେ ଭାରତୀୟ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅଂଶଗ୍ରହଣ ବଢ଼ିବ। ଏଥିସହ ଆଗାମୀ ତିନି ବର୍ଷରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଚୀନ୍‌-ପାକିସ୍ତାନର ବଢ଼ୁଥିବା ସାମରିକ ସହଯୋଗ ମଧ୍ୟରେ ଏହି ଚୁକ୍ତି ଭାରତର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button