ବାଲିଅନ୍ତା ଘଟଣାରେ 4 ପୋଲିସଙ୍କୁ ବଦଳି

ଭୁବନେଶ୍ୱର, 10 ମେ- ବାଲିଅନ୍ତା ଭିଡ଼ ହତ୍ୟା ଘଟଣା ପରେ ପୋଲିସ ପ୍ରଶାସନ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାଲିଅନ୍ତା ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ଅନୀଲ ପରିଡ଼ାଙ୍କୁ UPD, ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି।
ଏହା ସହିତ ଜଣେ ସବ୍- ଇନ୍ସପେକ୍ଟର (SI), ଜଣେ ଅସିଷ୍ଟାଣ୍ଟ ସବ୍- ଇନ୍ସପେକ୍ଟର (ASI), ଜଣେ OAPF କର୍ମଚାରୀ ଓ ଜଣେ କନଷ୍ଟେବଲଙ୍କୁ ସସପେଣ୍ଡ୍ କରାଯାଇଛି। ଏହାସହିତ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ଏନେଇ ସିପି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୋଲିସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରିଥିଲା ମାତ୍ର ଭିଡ଼କୁ ସାମ୍ନା କରି ସୌମ୍ୟକୁ ବଞ୍ଚାଇ ପାରି ନଥିଲା । ତେଣୁ ସେଥିପାଇଁ ୪ ଜଣ ପୋଲିସ ସସ୍ପେଣ୍ଡ୍ ହୋଇଛନ୍ତି । ପୋଲିସ ପ୍ରଶାସନର ଯେଉଁଠି ତ୍ରୁଟି ରହିଛି ଗଣମାଧ୍ୟମ ଜଣାଇବା ଭଲ । ଯେଉଁଠି ପୋଲିସ ସଠିକ୍ ପଦକ୍ଷେପ ନେଉଛି, ତାହା ମଧ୍ୟ ସାମ୍ନାକୁ ଆସୁ । କିଛି ଘଟଣା ଘଟୁଥିଲା ବେଳେ ଲୋକଙ୍କ ହସ୍ତକ୍ଷେପ ଆଇନର ଅଧିକାର । ମାତ୍ର କାହାକୁ ପିଟିବା ଅଧିକାର ଆଇନ କାହାକୁ ଦେଇନି, ନ୍ୟାୟଳୟ ଅଛି । ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ମାମଲାର ବିଚାର କ୍ରାଇମବ୍ରାଞ୍ଚ୍ କରୁଛି ବୋଲି ସେ କହିଛନ୍ତି ।



