
ପରିବା ଦୋକାନରୁ ଲେମ୍ବୁ ଚୋରି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ ଅଟେ । ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଏପରି ଭିନ୍ନ ପ୍ରକାର ଚୋରି ସାମ୍ନାକୁ ଆସିଛି । ବର୍ତ୍ତମାନ ଲେମ୍ବୁ ଦର ଆକାଶଛୁଆଁ ରହିଥିବାବେଳେ ଏଠାରେ ଏକ ପରିବା ଦୋକାନରୁ ଚୋରମାନେ ୫୦ କିଲୋ ଲେମ୍ବୁ ସହ ପିଆଜ ଏବଂ ରସୁଣ ଚୋରି କରି ନେଇଛନ୍ତି ।
ଏପରି ଅଜବ ଧରଣର ଘଟଣା ଘଟିଛି ତିଲହର ଅଞ୍ଚଳର ବଜରିଆ ପରିବା ମଣ୍ଡିରେ। ଏଠି ମନୋଜ କାଶ୍ୟପଙ୍କର ଏକ ପରିବା ଗୋଦାମ ଏବଂ ଦୋକାନ ରହିଛି, ଯେଉଁଠି ସେ କେବଳ ଲେମ୍ବୁ, କଞ୍ଚା ଲଙ୍କା, ପିଆଜ ଏବଂ ରସୁଣ ବିକନ୍ତି। ତାଙ୍କ କହିବା ଅନୁସାରେ, ବିଳମ୍ବିତ ରାତିରେ ଚୋରମାନେ ତାଙ୍କ ଗୋଦାମରୁ ମହଙ୍ଗା ଲେମ୍ବୁ ଏବଂ ଅନ୍ୟାନ୍ୟ ପରିବା ଚୋରି କରି ନେଇଛନ୍ତି।ଖୋଲା ବଜାରରେ ଲେମ୍ବୁ ଦର ବର୍ତ୍ତମାନ ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଥିବାବେଳେ ଏପଟେ ଚୋରି ହୋଇଥିବା ଲେମ୍ବୁ ଦାମ୍ ପାଖାପାଖି ୧୦ ହଜାର ଟଙ୍କା ବୋଲି କୁହାଯାଉଛି। ତେବେ ଏ ପର୍ଯ୍ୟନ୍ତ ବ୍ୟବସାୟୀ ଜଣକ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନଥିବାବେଳେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।