
ନୂଆଦିଲ୍ଲୀ: ବିନା କୌଣସି ଓଟିପି କିମ୍ବା ତଥ୍ୟ ବିନା ଜଣଙ୍କ ଆକାଉଣ୍ଟରୁ ସାଇବର ଠକ ମାନେ ଲୁଟି ନେଲେ ୫୦ ଲକ୍ଷ ଟଙ୍କା। ଦକ୍ଷିଣ ଦିଲ୍ଲୀରେ ଥିବା ଗୋଟିଏ ସିକ୍ୟୁରିଟି ସର୍ଭିସ କମ୍ପାନୀର ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ଏପରି ଠକେଇ ହୋଇଛି। ସାଇବର ଠକ ମାନେ ପ୍ରାୟ ଘଣ୍ଟା ଯାଏ ମିସଡ୍ ଓ ବ୍ଲାଙ୍କ କଲ କରି ଏପରି ନୂଆ ଧରଣର ଲୁଟ କରିଛନ୍ତି।
ପୀଡ଼ିତଙ୍କ ମୋବାଇଲକୁ କିଛି ଦିନ ତଳେ ସନ୍ଧ୍ୟା ୭ଟାରୁ ୮.୪୫ ଯାଏ ଅଜଣା ନମ୍ବରରୁ ଏକାଧିକ କଲ ଆସିଥିଲା। ସେ କିଛି କଲ ଉଠାଇଥିବା ବେଳେ ଆଉ କିଛି ମିସଡ୍ କଲ ଥିଲା। ସେହିପରି ସେ ଉଠାଇଥିବା କଲ୍ରୁ କୌଣସି ଜବାବ ମଧ୍ୟ ମିଳି ନଥିଲା। ବାରମ୍ବାର କେହି ଫୋନ କରି କିଛି କହୁ ନଥିବାରୁ ସେ ବିରକ୍ତ ମଧ୍ୟ ହୋଇ ଯାଇଥିଲେ।
ତେବେ କଲ୍ର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ବିଭିନ୍ନ ଲୋକଙ୍କ ପାଖକୁ ଯାଇଥିବା ମେସେଜ ଆସିବା ପରେ ପୀଡ଼ିତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏହାପରେ ସେ ପୁଲିସ୍ରେ ଅଭିଯୋଗ କରି ୫୦ ଲକ୍ଷ ଟଙ୍କାର ଲୁଟ ହୋଇଥିବା କହିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କମ୍ପାନୀର ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ପ୍ରଥମେ ଭାସ୍କର ମଣ୍ତଳ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଛି। ୪.୬ ଲକ୍ଷ ଟଙ୍କା ଅଭିଜିତ ଗିରି ଓ ପ୍ରାୟ ୧୦ ଲକ୍ଷ ଟଙ୍କା ଆଉ ଦୁଇ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଆଉ କିଛି ଟଙ୍କା ଅନ୍ୟ ଆକାଉଣ୍ଟକୁ ବି ଯାଇଛି। ଏପରି ଭାବେ ମୋଟ ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି।
ଝାରଖଣ୍ଡର ଜାମତାରାରେ ଏହି ସାଇବର ଠକେଇ ମାଷ୍ଟର ମାଇଣ୍ଡ ରହିଥିବା ବେଳେ କମିଶିନ ପାଇବା ଲୋଭରେ କିଛି ଲୋକ ତାକୁ ନିଜର ଆକାଉଣ୍ଟ ନମ୍ବର ଦେଇଛନ୍ତି। ସେହି ଲୋକଙ୍କ ଆକାଉଣ୍ଟକୁ ହିଁ ନିର୍ଦ୍ଦେଶକଙ୍କ ୫୦ ଲକ୍ଷ ଟଙ୍କା ପଠାଯାଇଛି। ତେବେ ଏପରି ନୂଆ ଧରଣର ଠକେଇ ପୂର୍ବରୁ କେବେ ହେଲେ ସାମ୍ନାକୁ ଆସି ନଥିଲା।
ସାଇବର ଠକମାନେ ପୂର୍ବରୁ ଅଳ୍ପ ପରିମାଣର ଟଙ୍କା ଲୁଟ କରୁଥିବା ବେଳେ ଓଟିପି କିମ୍ବା ବ୍ୟକ୍ତିଙ୍କ ବ୍ୟାଙ୍କ ତଥ୍ୟ ବ୍ୟବହାର କରୁଥିଲେ। କିନ୍ତୁ ଏବେ ମିସଡ୍ କଲ ଜରିଆରେ ଠକେଇ ହୋଇଛି। ସେହିପରି ଏହି ମାମଲାରେ ଅଭିଯୁକ୍ତମାନେ ସ୍ୱାଭାଗ୍ୟବଶତଃ କରେଣ୍ଟ ଆକାଉଣ୍ଟରୁ ଲୁଟ କରିଥିବାରୁ ଏତେ ପରିମାଣର ଅର୍ଥ ହାତେଇବାକୁ ସକ୍ଷମ ହୋଇଛନ୍ତି। ଯଦି ସେଭିଂ ଆକାଉଣ୍ଟ ହୋଇଥାଆନ୍ତା, ତା’ହେଲେ ଏତେ ପରିମାଣର ଟଙ୍କା କାରବାର ବେଳେ ବ୍ୟାଙ୍କ ମଧ୍ୟ ଆଲର୍ଟ ଜାରି କରିଥାଆନ୍ତା।
ପୁଲିସ ସନ୍ଦେହ କରୁଛି ଯେ ସିମ ସ୍ୱାପ ଟେକନିକ୍ ଜରିଆରେ ଠକେଇ ହୋଇଛି। ସେମାନେ ଆକାଉଣ୍ଟ ଦଖଲ କରି ଠକେଇ କରିଛନ୍ତି। ଗୋଟିଏ ମୋବାଇଲ ଫୋନକୁ କଲ କିମ୍ବା ମେସଜ କରି କେବଳ ବୈଧତା ଜାଣିବାକୁ ଚେଷ୍ଟା କରାଯାଏ। ସିମ୍ ସ୍ୱାପ ଦ୍ୱାରା ଏହା ସମ୍ଭବ ହୋଇଥାଏ।
ଏହି ଧରଣର ଠକେଇରେ ସାଇବର ଠକମାନେ କେବଳ ମୋବାଇଲ ଫୋନକୁ କଲ୍ କରନ୍ତି। ସେ କଲ ଉଠାଇବା କ୍ଷଣି ସିମ ଆକ୍ଟିଭେଟ ହୋଇଯାଏ। ଏହା ଆକ୍ଟିଭ ହୋଇଗଲେ, ଠକମାନେ ମୋବାଇଲ ଫୋନର ଆସେସ ପାଇ ଯାଇ ନିଜ ଇଚ୍ଛାରେ ଏହାକୁ ପରିଚାଳନା କରନ୍ତି।
ଟ୍ରାଞ୍ଜାକସନ ବେଳେ ସମାନ୍ତରଳ ଭାବେ ଠକମାନେ ନିଜ ଫୋନରେ ଓଟିପି ପାଇବାକୁ ବି ସକ୍ଷମ ହୁଅନ୍ତି। ଏହାବାଦ ଫୋନ ହାଇଜ୍ୟାକର ଆଶଙ୍କା ରହିଛି। ତେଣୁ ପୁଲିସ୍ ସବୁ ଦିଗକୁ ଦୃଷ୍ଟିରେ ରଖି କେମିତି ଲୁଟ ହେଲା, ତା’ର ତଦନ୍ତ ଆରମ୍ଭ କରିଛି।