6 ମାସରେ ଗୁଜୁରାଟରେ ଚାଲିବ ଦ୍ରୁତଗାମୀ ଟ୍ରେନ

ଆଗାମୀ ୬ ମାସ ମଧ୍ୟରେ ଗୁଜୁରାଟର ଅହମ୍ମଦାବାଦ ଓ ସାନନ୍ଦ ମଧ୍ୟରେ ଦ୍ରୁତଗାମୀ ରେଳ ଚଳାଚଳ କରିବ ବୋଲି ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଗୁଜୁରାଟର ସାନନ୍ଦ ନଗରୀରେ ଏକ ‘ସେମିକଣ୍ଡକ୍ଟର୍’ କମ୍ପାନିର (କମ୍ପ୍ୟୁଟର୍ ଓ ମୋବାଇଲ୍ କମ୍ପାନି) ଶିଳାନ୍ୟାସ ଉତ୍ସବରେ ଉଦ୍ବୋଧନ ଦେବା ସମୟରେ ବୈଷ୍ଣବ କହିଲେ, ଏଠାରେ ବନ୍ଦେ ଭାରତ ଟ୍ରେନ୍ ବି ଅଟକିବ। ଖାଲି ଏତିକି ନୁହେଁ ସେ ମଧ୍ୟ କହିଛନ୍ତିୌ, ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଗୋଟାଏ ଉତ୍କୃଷ୍ଟ ଧରଣର ଟ୍ରେନ୍ ଚଳାଚଳ କରିବାକୁ ଯାଉଛି। ଆଉ ୬ ମାସ ଭିତରେ ଏହି ଅତି ଦ୍ରୁତଗାମୀ ଟ୍ରେନ୍ ଚାଲିବ। ତେବେ ‘ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍’ ପ୍ରସଙ୍ଗରେ କହିବା ବେଳେ ସେ କହିଛନ୍ତି, ଆଉ ଅଳ୍ପ କିଛି ବର୍ଷ ଭିତରେ ‘ସେମିକଣ୍ଡକ୍ଟର୍’ର ଚାହିଦା ୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏବଂ ‘ମେଡ୍-ଇନ୍-ଇଣ୍ଡିଆ’ ‘ସେମିକଣ୍ଡକ୍ଟର୍’ଦ୍ବାରା ଦେଶର ଭବିଷ୍ୟତ ଗଢ଼ିବା ଲାଗି ପ୍ରଧାମନ୍ତ୍ରୀ ପରିକଳ୍ପନା କରିଥିବା କଥା ସେ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ, ‘ସେମିକଣ୍ଡକ୍ଟର୍’ ପ୍ରତିଦ୍ବନ୍ଦ୍ବିତାରେ ଗୁଜରାଟ ନେତୃତ୍ବ ବହନ କରିଛି। ସୂଚନା ଅନୁସାରେ, ଭାରତୀୟ ମୁଦ୍ରାରେ ସମୁଦାୟ ୨୨,୫୪୦ କୋଟି ଟଙ୍କା ବିନିଯୋଗ କରି ଗୁଜରାଟରେ ‘ସେମିକଣ୍ଡକ୍ଟର୍ ଆସେମ୍ବ୍ଲି’ ଓ‘ଟେଷ୍ଟ୍ ପ୍ଲାଣ୍ଟ୍’ ନିର୍ମାଣ କରିବା ଲାଗି ଜୁନ୍ ମାସରେ ‘ମାଇକ୍ରୋନ’ ଘୋଷଣା କରିଥିଲା। ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରିବା ଲାଗି ‘ମାଇକ୍ରୋନ୍’ ‘ଟାଟା ପ୍ରୋଜେକ୍ଟସ୍’କୁ ଦାୟିତ୍ବ ଦେଇଛି।