ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ ମାମଲାରେ ଗିରଫ ହେଲେ ୬ ଅଭିଯୁକ୍ତ। ଏହାବାଦ ଏହି ଘଟଣାରେ ସମ୍ପୃକ୍ତ ଥିବା ଆହୁରି ୬ ଜଣ ରାଜ୍ୟ ବାହାରକୁ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନି। ଗିରଫ ଅଭିଯୁକ୍ତଙ୍କଠାରୁ ମୃତ ବାଘର ନଖ, ଦାନ୍ତ ଓ ପାଦ ଜବତ ହୋଇଛି। ହେଲେ ସବୁ ନଖ ଏ ଯାଏ ଜବତ ହୋଇ ନ ଥିବାରୁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଏପରିକି ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସୂଚନାମିଳିଛି। ଗତ ୧୩ ତାରିଖରେ ବାଘପାଲି ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ପକ୍ଷରୁ ବାଘର ମୃତଦେହ ଜବତ ସହ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଛି ବନ ବିଭାଗ ଟିମ୍ । ମିଳିଥିବା ସୂଚନା ଅନୁସାରେ, ବାରହା ମାରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଟିର ମୃତ୍ୟୁ ହୋଇଥିଲା । ଏହାପରେ ଶିକାରୀମାନେ ବାଘର ନଖ କାଟି ଫେରାର ହୋଇ ଯାଇଥିଲେ। ଏହି ଘଟଣାର ତଦନ୍ତ କରି ବନ ବିଭାଗ ବାଘପାଲି ଦୟା ମଠର ମଠାଧିସ ଦୟାସାଗର ଥାଟ୍ଟିଙ୍କ ସମେତ କୋଟସମଲାଇ ଗାଁର ସୁରେନ୍ଦ୍ର ପ୍ରଧାନ,ବିଜୟ ଗରୁ, ନାକଡେଇଁ ଗାଁର ରାମଚନ୍ଦ୍ର ପୁରୋହିତ,ବାଘପାଲି ଗାଁର ପୁରେନ୍ଦ୍ର ଥାଟ୍ଟି ଏବଂ ସୋନପୁର ପଟାଭାଡିର ସତ୍ୟନାରାୟଣ ମେହେରଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ବନ ବିଭାଗ ଟିମ୍ ।