୬ ଇଞ୍ଜିନିୟରିଂ ଛାତ୍ର ବୁଲାବୁଲି କରି ଫେରିବା ବାଟରେ ଘଟିଲା ଦୁର୍ଘଟଣା

ବ୍ରହ୍ମପୁର : ୬ ଜଣ ଇଞ୍ଜିନିୟରିଂ ଛାତ୍ର ବୁଲାବୁଲି କରିବାକୁ ଭୁବନେଶ୍ୱରରୁ ଗୋପାଳପୁରକୁ ଯାଇଥିଲେ । ଆଜି ସେମାନେ ଫେରି ସ୍ୱାଭାବିକ ଭାବେ କ୍ଲାସ୍ କରିଥାନ୍ତେ । ହେଲେ ଫେରିବା ବାଟରେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟରେ ଘଟିଲା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନାମିଳିଛି। ମୃତକ ହେଲେ ଦେବରାଜ। ଆହତମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ । ସମସ୍ତ ୬ଜଣ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସୂଚନାମିଳିଛି। ଗତକାଲି ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଯାଇଥିଲେ ୬ ଜଣ ଛାତ୍ର । ସେଠାରେ ବୁଲାବୁଲି ସାରି ଆଜି ସକାଳେ ସେମାନେ ଭୁବନେଶ୍ୱର ଫେରୁଥିଲେ। ମାତ୍ର ଅଗସ୍ତିନୁଆଁଗାଁ ଛକ ନିକଟରେ କାର୍ଟି ଡିଭାଇଡରକୁ ପିଟି ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଗଞ୍ଜାମ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।