
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୬ ହଜାର ପଦବୀକୁ ଅକ୍ଟୋବର ଶେଷ ସୁଦ୍ଧା ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ଆହ୍ୱାନ କରିଛନ୍ତି । ସେହିପରି ଅନ୍ୟ ଏକ ପୃଥକ ବୈଠକରେ ସମସ୍ତ ୨୩ଟି ‘ଆଇଆଇଟି ଗବେଷଣା ଏବଂ ବିକାଶ ମେଳା’ ନଭେମ୍ବରରେ ଅନୁଷ୍ଠିତ ହେବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା(ଆଇଆଇଟି)ର ନଭେମ୍ବର ମାସରେ ହେବାକୁ ଥିବା ଗବେଷଣା ଏବଂ ବିକାଶ ମେଳାର ଆୟୋଜନ ପାଇଁ ଗଠିତ ଆଇଆଇଟି ସଂଚାଳନ ସମିତି ସହ ଅନୁଷ୍ଠିତ ପୃଥକ ପୃଥକ ବୈଠକରେ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା କାଳରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୬ ହଜାର ପଦବୀକୁ ଅକ୍ଟୋବର ସୁଦ୍ଧା ପୂରଣ କରିବା ତଥା ପଦବୀରେ ଏସସି, ଏସଟି, ଓବିସି, ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ ଲୋକଙ୍କୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶବାସୀଙ୍କ ଆକାଂକ୍ଷା ଏବଂ ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଆମର ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ସାମାଜିକ ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଚାବିକାଠି ହୋଇଛନ୍ତି । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭାରତର ସମୃଦ୍ଧ ଭାଷା ଏବଂ ସାଂସ୍କୃତିକ ଐତିହ୍ୟକୁ ଲୋକପ୍ରିୟ କରିବା ଏବଂ ଭାରତୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଉଚିତ୍ । ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସୃଜନଶୀଳତା, ନବସୃଜନ ଏବଂ ସୁଯୋଗର ମୂଳଦୁଆ । ଉଭା ହେଉଥିବା ନୂତନ ବିଶ୍ୱରେ ଭାରତକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।