
ଶ୍ରେଣୀ ଗୃହରେ ପଢିଲେ ଛାତ୍ରଛାତ୍ରୀ । ଆଜିଠୁ ଆରମ୍ଭ ହେଲା ଯୁକ୍ତ ୩ ଦ୍ୱିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା । କରୋନା ଗାଇଡଲାଇନ ଭିତରେ ଆରମ୍ଭ ହେଲା କ୍ଲାସ । ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଆଦିକୁ ବାଧ୍ୟତାମୂଳକ କରାଯାଇଛି ।
କଣ୍ଟେନ୍ମେଣ୍ଟ ଜୋନ୍ ଭିତରେ ରହିଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ । ନିୟମିତ ବ୍ୟବଧାନରେ କ୍ୟାମ୍ପସକୁ ବିଶୋଧନୀକରଣ କରାଯିବ । କ୍ଲାସରୁମ୍, ଲାଇବ୍ରେରୀ, ଲାବ୍ରୋଟୋରୀ ଆଦି ସ୍ଥାନରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗିଛି ।
କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଛି । ଅସୁସ୍ଥତା ଅନୁଭବ କଲେ କର୍ତ୍ତପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି । କୌଣସି ପ୍ରକାର ଜରୁରୀ ଆବଶ୍ୟକତା ପଇଁ କ୍ୟାମ୍ପସରେ ଆଇସୋଲେସନ ରୁମ୍ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।