ଓଡ଼ିଆ ଗଳ୍ପଓଡ଼ିଶା

ହନି ଟ୍ରାପ

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ରଚନା: ଅରବିନ୍ଦ ଦାସ

ସହକର୍ମୀ ସବ-ଇନ୍ସପେକ୍ଟର ବିଶ୍ୱଜିତ ଏକ ଫାଇଲ ଆଣି, ଥାନା ଏସ.ଆଇ ଅର୍ଜୁନ ବାବୁଙ୍କର ସାମ୍ନାରେ ଥୋଇ କହିଲା,

-ସାର, ଗୋଟେ ହନିଟ୍ରାପ ଠକେଇ କେସର ଏଫ ଆଇ ଆର।”

ତାଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇ ଅର୍ଜୁନ ବାବୁ ଫାଇଲ ଉପରେ ଦୃଷ୍ଟି ପହଁରାଇ ଆଣି ମନକୁ ମନ ଭାବିଲେ, ପୁଣି ଗୋଟେ ହନିଟ୍ରାପ କେସ!! ମନଟା ବିରକ୍ତିରେ ଭରିଗଲା ଥାନା ଅଧିକାରୀ ଅର୍ଜୁନ ବାବୁଙ୍କର।
ତାଙ୍କର ମନେ ପଡିଗଲା କିଛିଦିନ ତଳେ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ବାହାରିଥିବା ଖବର। “ବିଦେଶୀ ମହିଳାଙ୍କ ଗୁପ୍ତଚରଙ୍କ ପାଲରେ ନାଭାଲ, ସେନା ଅଫିସର ଏବଂ ଇସ୍ରୋରେ କାମ କରୁଥିବା କର୍ମଚାରୀ। ହନିଟ୍ରାପରେ ପକାଇ, ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ସେଇ ବିଦେଶୀ ମହିଳାଙ୍କ ଦ୍ୱାରା ଭାରତୀୟ ଅଫିସରଙ୍କ ଠାରୁ ସାମରିକ, ନୌ ବାହିନୀ ତଥା ରକେଟ ବିଷୟରେ ଅନେକ ଗୁପ୍ତତଥ୍ୟ ହରଣଚାଲ।”
ସେଦିନ ସମ୍ବାଦପତ୍ର ର ଦ୍ଵିତୀୟ ପୃଷ୍ଠାରେ ପୁଣି ଅନ୍ୟଏକ ଠକେଇର କାହାଣୀ ବି ବାହାରିଥିଲା। ଅର୍ଜୁନ ବାବୁ ମୋବାଇଲରେ ଖୋଜି ବାହାର କଲେ ସେଦିନର ଇ-ପେପର।
“ସୁନ୍ଦରୀ ମହିଳା ନିଜ ରୂପ ଜାଲରେ ହନିଟ୍ରାପ ଦ୍ୱାରା ପୁରୁଷଙ୍କୁ ଫସାଇ ଭିଡିଓ ଚାଟିଂ ବେଳେ ଅଶ୍ଳୀଳ ଫଟ, ଭିଡିଓ ରେକର୍ଡ଼ିଂଗ କରି , ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ସାଇବର ପୋଲିସ ଅନୁସନ୍ଧାନ କରୁଛନ୍ତି।”
ତଳକୁ ପୁଣି ଅନ୍ୟଏକ ହନିଟ୍ରାପ ଠକେଇ ସମ୍ବାଦ।
ସୋସିଆଲ ମିଡିଆରେ ମିଛ ପ୍ରୋଫାଇଲ ଫଟ ଦେଇ ମହିଳାଙ୍କ , ପୁରୁଷ ବନ୍ଧୁଙ୍କୁ ବିଦେଶରେ ବାହାହେବ ବୋଲି ପାସପୋର୍ଟ, ଭିସା ଯୋଗାଡ଼ କରିବା ବାହାନାରେ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ।”
ଦୀର୍ଘନିଶ୍ବାସ ନେଲେ ଅର୍ଜୁନ ବାବୁ।ଏସବୁ କାହାଣୀ ସବୁଦିନ ପଢି ପଢି ମଣିଷ ବୋର ହୋଇଗଲାଣି।କେବେ ସୁଧୁରିବେ ଲୋକେ ?ସରକାରଙ୍କ ତରଫରୁ ଏତେ ସତର୍କତାମୂଳକ ସାବଧାନ ବାର୍ତ୍ତା ଦିଆଯାଉଛି। ତଥାପି ଲୋକେ ବୁଝୁନାହାନ୍ତି। ସାଇବର ପୋଲିସ ବି ଅନେକ ସମୟରେ ଏହି ଚତୁର ମହିଳା ଠକଙ୍କ ସାମ୍ନାରେ ହାର ମାନୁଛି। ନିଜ ରୂପ ଯୌବନର ଲାଳସା ଦେଖାଇ ମୂର୍ଖ , କାମୁକ ପୁରୁଷଙ୍କୁ ଠକୁଛନ୍ତି ଏସବୁ ବହୁରୂପୀ ମହିଳା। ଏଇ ସୁନ୍ଦରୀ ମାନଙ୍କ ହନିଟ୍ରାପ ରେ ସବୁବେଳେ ପୁରୁଷମାନେ କାହିଁକି ପଡ଼ନ୍ତି ?
ଥରେ ଜଣେ ବନ୍ଧୁ ତାଙ୍କୁ ମଜାରେ କହିଥିଲା,

-ମହୁ ଫେଣାର ଅସଲ ମାଲିକାଣୀ ରାଣୀ ମହୁମାଛି। ପୁରୁଷ ମହୁମାଛିମାନେ ସବୁବେଳେ ରାଣୀ ମହୁମାଛିଙ୍କ ହନିଟ୍ରାପ କବଳରେ।”

ସବ ଇନ୍ସପେକ୍ଟର ବିଶ୍ୱଜିତ ରୁମକୁ ଆସି ପଚାରିଲେ,

-ସାର ଏଫ.ଆଇ.ଆର ଟା ଦେଖିଲେ ? ଏ ହନିଟ୍ରାପ କେସରେ ସମୁଦାୟ ୧୬ ଜଣ ବିଦେଶୀ ଓ ଦେଶୀ ମହିଳା ସମ୍ପୃକ୍ତ ଅଛନ୍ତି। ବିଭିନ୍ନ ଗୁପ୍ତତଥ୍ୟ ଯୋଗାଇବା ତଥା ମିଥ୍ୟା ବିବାହ ପ୍ରଲୋଭନ ଦ୍ୱାରା କୋଟି କୋଟି ଟଙ୍କା ଠକେଇ। ସେନା ଅଧିକାରୀ, ନାଭାଲ ଅଧିକାରୀ, ପରମାଣୁ ବିଶେଷଜ୍ଞ, ଇସ୍ରୋ ଅଧିକାରୀ, ଡାକ୍ତର, କମ୍ପାନୀର ସି.ଇ.ଓ ଇତ୍ୟାଦି…..

ତାଙ୍କ କଥାକୁ ଅଧାରେ ରଖି ଅର୍ଜୁନ ବାବୁ କହିଲେ,

-ବୁଝିଲି, ଦେଶର ସାମରିକ ତଥା ସୁରକ୍ଷା ସମ୍ଭନ୍ଧିତ ଅନେକ ଗୁପ୍ତତଥ୍ୟ ଏଥିରେ ସମ୍ପୃକ୍ତ ଥିବାରୁ ଏହା ବହୁତ ସମ୍ବେଦନଶୀଳ କେସ।”

ମୁହଁରେ ହସ ଖେଳାଇ ବିଶ୍ୱଜିତ କହିଲେ,

– ବ୍ରିଟେନ, ପାକିସ୍ଥାନ ଇତ୍ୟାଦି ଦେଶର ବିଦେଶୀମହିଳା, ରୁବିନା, ଡରୋଥି, ଭାଲେନ୍ତିନା, ଜାକିରା, ସେକ୍ସିସୁଶାନା, ଆଞ୍ଜେଲାଙ୍କ ସହ ଆହୁରି କିଛି ଭାରତୀୟ ମହିଳା। ସମୁଦାୟ ୧୬ ଜଣଙ୍କ ନାଁ ଏଥିରେ ଅଛି। ଠକେଇ ର ପରିମାଣ ଏତେ ଅଧିକ ଯେ, ସି.ବି.ଆଇ ଅଧିକାରୀ ବି ଫୋନ କରି ଏଫ.ଆଇ.ଆର କପି ମାଗିଛନ୍ତି।”

ଚମକିପଡି ଅର୍ଜୁନ ବାବୁ କହିଲେ,

-ଦେଶ ର ଆଭ୍ୟନ୍ତରୀଣ ସୁରକ୍ଷା ଜିନିଷକୁ ସି ବି ଆଇ ନିଜେ ତଦନ୍ତ ନକରି, ଆମକୁ ଏଫ ଆଇ ଆର ରୁଜ୍ଜୁ କରିବାକୁ କାହିଁକି କହୁଛି ?ଏହାକୁ ସି.ବି.ଆଇ ହ୍ୟାଣ୍ଡେଲ କରିବା ଉଚିତ। ଆମ ଥାନାରେ ଏଫ. ଆଇ.ଆର କାହିଁକି ରୁଜ୍ଜୁ କରିଛ ?”

ବିଶ୍ୱଜିତ କହିଲେ,

-କେମିତି ନକରିବୁ ? ମୁଖ୍ୟ ଆରୋପୀ ପ୍ରେମରଞ୍ଜନ ସାହୁ ପରା ଆମ ଥାନା ଅଞ୍ଚଳର। ପାଠ ପଢା ମାତ୍ର ବିଏ। ହେଲେ କେବେ ନକଲି ସେନାଅଧିକାରୀ ତ କେବେ ନକଲି ଇସ୍ରୋ ଅଧିକାରୀ ଅଥବା ନକଲି ନେଭି ଅଫିସର ବନି ନକଲି ଗୁପ୍ତ ତଥ୍ୟ ଦେବାସହ, ବିଦେଶୀ ଗୁପ୍ତଚର ମହିଳା , ରୁବିନା, ଡରୋଥି, ଭାଲେନ୍ତିନା, ଜାକିରା, ସେକ୍ସିସୁଶାନା, ଆଞ୍ଜେଲାଙ୍କୁ ବିବାହ କରି ଠକିଛି ଓ ଟଙ୍କା ଲୁଟିଛି। ତା ସହ ନକଲି ଡାକ୍ତର, କମ୍ପାନୀ ସି.ଇ.ଓ ବନି ଆହୁରି କିଛି ଭାରତୀୟ ମହିଳାଙ୍କୁ ବି ବିବାହ କରି ସେମାନଙ୍କ ଠାରୁ ବି ଅର୍ଥ ଲୁଟିଛି। ନିଜର ପ୍ରଥମ ଅସଲି ସ୍ତ୍ରୀ କୁ ବାଦ ଦେଲେ, ତଦନ୍ତ ରୁ ଜଣା ପଡ଼ିଛି କି ପ୍ରେମରଞ୍ଜନ ସାହୁ ଆହୁରି ୧୬ ମହିଳାଙ୍କୁ ବିବାହ କରିଛି। ସବୁ ମହିଳା ବିଧବା ଅଥବା ଛାଡ଼ପତ୍ରପ୍ରାପ୍ତ। ଏଇ ସହରରେ ବିଭିନ୍ନ ଭଡା ଘରେ ପ୍ରେମରଞ୍ଜନ ସେଇ ମହିଳାମାନଙ୍କୁ ଡକାଇ ରଖୁଥିଲା ଓ ବିଭିନ୍ନ ଉପାୟରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରୁଥିଲା। ଲୋକଲଜ୍ୟା ଭୟରେ ସେମାନେ କେସ ରୁଜ୍ଜୁ କରୁନଥିଲେ। ହେଲେ ନିଜ ପ୍ରେମଜାଲରେ ପ୍ରେମରଞ୍ଜନ ଆଉ ଅନ୍ୟ ଯେଉଁ ଦଶ ଜଣ ମହିଳାଙ୍କୁ ବିବାହ କରିବ ବୋଲି ଫସାଇ ଥିଲା, ସେମାନେ ଏଫ.ଆଇ.ଆର ଦେଇଛନ୍ତି ବୋଲି, ତାକୁ ଗିରଫ କରି ଆମ ଟିମ, ଥାନାକୁ ଆଣୁଛନ୍ତି।”

ଚମକି ପଡି ଅର୍ଜୁନ ବାବୁ କହିଲେ,

-ବିଦେଶୀ ଠକ ମହିଳାଙ୍କୁ ବି ଠକିଛି!! ବିଦେଶିନୀ ଗୁପ୍ତଚର ମହିଳାଙ୍କ ଆକାଉଣ୍ଟ ଖାଲି କରିଛି !!!
୧୭ ମହିଳାଙ୍କୁ ବିବାହ କରି, ତା ମନ ଭରି ନଥିଲା ଯେ ଆହୁରି ଅଧିକ ବିବାହ ପାଇଁ ଯୋଜନା ! ତା ଦର୍ଶନ ପାଇଁ ମନ ବ୍ୟାକୁଳ ହେଉଛି। ତେବେ ପ୍ରଥମଥର ଦେଖୁଛି, ଏତେ ମହିଳା, ଜଣେ ପୁରୁଷର ହନିଟ୍ରାପରେ!! ଇୟେ ତ କଳିଯୁଗ କୃଷ୍ଣ।”

(©ଅରବିନ୍ଦଦାସ)

ଜୟ ଜଗନ୍ନାଥ
ସମାପ୍ତ
ଶୁଭ ରାତ୍ରି

Show More

Related Articles

Back to top button