କେରଳରେ ୨.୭୩ କୋଟି ଭୋଟରଙ୍କ ଚିଠା ତାଲିକା ପ୍ରକାଶ

ଥିରୁବନନ୍ତପୁରମ୍: କେରଳରେ ଗୁରୁବାର ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) ପ୍ରକ୍ରିୟାରେ ଚିଠା ଭୋଟର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ନିଜ ନାମ ଯାଞ୍ଚ କରିବା ସହ ଆପତ୍ତି ଓ ଅଭିଯୋଗ ଦାଖଲ ପାଇଁ ଭୋଟରଙ୍କୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
୨୦୨୭ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଭାବେ ଧରି ପ୍ରସ୍ତୁତ ଏହି ତାଲିକାରେ ମୋଟ ୨ କୋଟି ୭୩ ଲକ୍ଷ ୬୦ ହଜାର ୨୫୪ ଜଣ ଭୋଟରଙ୍କ ନାମ ରହିଛି। ଏଥିରେ ୧ କୋଟି ୪୦ ଲକ୍ଷ ୩୮ ହଜାର ୭୧୮ ମହିଳା, ୧ କୋଟି ୩୩ ଲକ୍ଷ ୨୧ ହଜାର ୨୬୭ ପୁରୁଷ ଏବଂ ୨୬୯ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି।
ବୟସ ଅନୁସାରେ, ୧୮ରୁ ୧୯ ବର୍ଷ ବୟସର ୨ ଲକ୍ଷ ୭୦ ହଜାର ୬୭୫ ଏବଂ ୨୦ରୁ ୨୯ ବର୍ଷ ବୟସର ୪୪ ଲକ୍ଷ ୬ ହଜାର ୪୨୪ ଜଣ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି।
ଭୋଟରମାନେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ତାଲିକା ଯାଞ୍ଚ କରିପାରିବେ। କେରଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ରେ ମଧ୍ୟ ଏହା ଉପଲବ୍ଧ ରହିଛି। ଯୋଗ୍ୟ ଭୋଟରଙ୍କ ନାମ ଯେପରି ବାଦ୍ ନପଡ଼େ, ସେଥିପାଇଁ ତାଲିକା ଯାଞ୍ଚ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଡି. ସାଜିତ ବାବୁ ଅନୁରୋଧ କରିଛନ୍ତି।



