ଆସାମରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ୨୩ ଜଣଙ୍କ ମୃତ୍ୟୁ

ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଶୁକ୍ରବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ପୁଲିସର ସୂଚନା ଅନୁସାରେ, କୋହୋରା ରେଞ୍ଜ ଅନ୍ତର୍ଗତ ଜାତୀୟ ରାଜପଥ-୭୧୫ର ରୋଙ୍ଗାଜନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବୋକାଖତରୁ ନାଗାଓଁ ଯାଉଥିବା ବସ୍ଟି ଏକ କଣ୍ଟେନର ଟ୍ରକ୍ ସହ ଧକ୍କା ହୋଇଥିଲା।
ଧକ୍କାରେ ବସ୍ଟି ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରାଥମିକ ତଦନ୍ତରୁ ବସ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।



