Breaking PLUSଦେଶ ବିଦେଶସ୍ୱାସ୍ଥ୍ୟ

ପ୍ରତିଦିନ ଚାଲିଲେ ମୃତ୍ୟୁର ଆଶଙ୍କା କମ୍ ଥାଏ : ଆମେରିକା ଗବେଷକ

ପ୍ରତିଦିନ କିଛିନା କିଛି ବାଟ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ

ପ୍ରତିଦିନ କିଛିନା କିଛି ବାଟ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏହା ଶରୀର ପାଇଁ ବ୍ୟାୟାମ ଭଳି କାମ କରିଥାଏ ,ଯାହାକୁ ସମସ୍ତେ ବିନା ମୂଲ୍ୟ ଦେଇ କରିପାରିବେ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ଆମେରିକାର ଗବେଷକ ।

ବିଶେଷଜ୍ଞମାନେ ବର୍ତ୍ତମାନ ସ୍ଥିତିରେ ଅଧିକାଂଶ ଚାଲିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଏକସସାଇଜ୍ ଭାବେ ଗ୍ରହଣ କରୁଛନ୍ତି । ଏହାଦ୍ୱାରା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ । ପ୍ରତିଦିନ ଚାଲିଲେ ମୃତ୍ୟୁର ଆଶଙ୍କା ମଧ୍ୟ କମ୍ ଥାଏ ।  ଆଜିକାଲି ଡିଜିଟାଲ ଯୁୁଗରେ ଅଧିକାଂଶ ବ୍ୟକ୍ତି  ଘରେ ବସି ବସି କାମ କରିବାକୁ ପସନ୍ଦ କରୁଛନ୍ତି, ଯେଉଁଥି ପାଇଁ ମଧୁମେହ, ହାର୍ଟ ଆଟାକ୍, ବ୍ଲଡ ପ୍ରେସର, ମେଦବହୁଳତା ପରି ରୋଗକୁ ସାମ୍ନା କରିବାକୁ ପଡୁଛି । କାରଣ ଏହାଦ୍ୱାରା ଆମର ଶାରୀରିକ କାର୍ଯ୍ୟକ୍ଷମତା କମ୍ ହୋଇଯାଉଛି । 
ଆମେରିକାର ୟୁନିଭର୍ସିଟି ଅଫ୍ ମାସାଚୁସେଟର ବୈଜ୍ଞାନିକଙ୍କ ମତନୁଯାୟୀ ଗୋଟିଏ ମାତ୍ର ବ୍ୟାୟାମରେ ଏସବୁ ରୋଗକୁ ଦୂରେଇ ହେବ । ଏହା ଦ୍ୱାରା ଏକ ନିରୋଗ ଶରୀରର ଅଧିକାରୀ ହୋଇ ମୃତ୍ୟୁର ଆଶଙ୍କାକୁ ୫୩ ପ୍ରତିଶତ ଯାଏଁ ହ୍ରାସ କରାଯାଇପାରିବ ବୋଲି କହିଛନ୍ତି । ୟୁନିଭର୍ସିଟି ଅଫ୍ ମାସାଚୁସେଟର ବୈଜ୍ଞାନିକଙ୍କ ଗବେଷଣାର ତଥ୍ୟ ଲାନସେଟ୍ ପବ୍ଲକ୍ ହେଲଥ୍ ପତ୍ରିକାରେ ପ୍ରକାଶ ପାଇଛି । ୪ ମହାଦେଶର ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ୧୫ଟି ଅଧ୍ୟୟନକୁ ନେଇ ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ । ଏଥିରୁ ଜଣାପଡିଛି ଯେ, ପ୍ରତ୍ୟେକ ଦିନ ଚାଲୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏବଂ ଅନ୍ୟମାନଙ୍କ ଅପେକ୍ଷା ସେମାନେ ଅଧିକ ଆୟୁର ଅଧିକାରୀ ହୋଇଥାନ୍ତି । ଏହି ଅଧ୍ୟୟନ ପାଇଁ ଚାରୋଟି ଗ୍ରୁପ ଗଠନ କରାଯାଇଥିଲା । ପ୍ରଥମରେ ୩୫୦୦, ଦ୍ୱିତୀୟରେ ୫,୮୦୦ ଓ ତୃତୀୟରେ ୭,୮୦୦ ଓ ଚତୁର୍ଥ ଗ୍ରୁପରେ ୧୦,୯୦୦ ପାଦ ଚାଲୁଥିବା ଲୋକଙ୍କୁ ରଖାଯାଇଥିଲା । ଗବେଷକଙ୍କ ଅନୁଯାୟୀ, ସବୁଠାରୁ ଅଧିକ ବାଟ ଚାଲୁଥିବା ଲୋକଙ୍କ ଗ୍ରୁପ୍ ଅନ୍ୟ ଗ୍ରୁପ ଲୋକଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚନ୍ତି । ଏମାନଙ୍କଠାରେ ମୃତ୍ୟୁ ଆଶଙ୍କା ଅନ୍ୟମାନଙ୍କ ଅପେକ୍ଷା ୪୦ ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥିବା ଜଣାପଡିଥିଲା । ଯଦି ୬୦ ବର୍ଷରୁ କମ୍ ବୟସ୍କ ଲୋକ ୮ରୁ ୧୦ ହଜାର ପାଦ ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକ ୬ରୁ ୮ ହଜାର ପାଦ ଚାଲିବେ ତେବେ ସେମାନଙ୍କ ପାଇଁ ଅସୁସ୍ଥତା ଏବଂ ମୃତ୍ୟୁର ଆଶଙ୍କା କମିଯିବ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଚାଲିବାର ବେଗ ଉପରେ ଏହାର କୌଣସି ସମ୍ପର୍କ ନଥିବା ଗବେଷକ ସ୍ପଷ୍ଟ କରିଛନ୍ତି ।
Show More

Related Articles

Back to top button