ଫୋକସ୍ ଭିଲେଜ୍ ମିଟିଂ ସାରି ଫେରିବା ବେଳକୁ ରାତି ପ୍ରାୟ 10ଟା। ଖାଇସାରି ରାମଲାଲ୍ ପାଇଁ ପ୍ଯାକିଙ୍ଗ୍ କରି ଆଣିଥିଲି। କହିଲି :ଖାଇନିଅ ।ଗାଁ କୁ ଯିବାକୁ ପଡିବ। ଶ୍ବେତା ଫୋନ୍ କରିଛି, ଚିନ୍ଟୁ ଦେହ ଭୀଷଣ ଖରାପ।
ଡିସେମ୍ବର ମାସ ଶେଷ। ପ୍ରବଳ ଶୀତ ପଡିଥାଏ। କୁଣ୍ଡାଝଡ଼ି ବର୍ଷା ଲଗି ରହିଥାଏ। ଶୀତଳ ପବନ ରେ ଦେହ ମୁଣ୍ଡ କାଲ ପଡିଯାଉଥାଏ। ଖାଇସାରି ରାମଲାଲ୍ ପଚାରିଲା :ଏବେଯିବା ସାବ୍?
ହଁ ହଁ, କହି ଆବଶ୍ୟକ ଡ୍ରେସ୍, ବ୍ରସ୍ ପ୍ୟାକ୍ କଲି। କହିହେବ ନାହିଁ ୨/୩ ଦିନ ଅଟକିବାକୁ ବି ପଡି ପାରେ। ରାମଲାଲ୍ ଅଭିଜ୍ଞ ଡ୍ରାଇଭର। ଦୀର୍ଘବର୍ଷ ହେଲାଣି ସାଙ୍ଗରେ ଅଛି। କେତେବେଳ ମନା କରେ ନାହିଁ। ରାତି ଗୋଟାଏ /ଦୁଇଟା ହେଲେ ବି ସଙ୍ଗେ ସଙ୍ଗେ ବାହାରି ପଡେ।
୧୫ ମିନିଟ୍ ମଧ୍ୟରେ ଗାଡ଼ି ଷ୍ଟାର୍ଟ କଲା ରାମୁ। ଗାଡିର ନିଅନ୍ ଆଲୋକରେ ବର୍ଷାଛିଟା ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥାଏ। ଦେବଗଡରୁ କେନ୍ଦୁଝର ୩/୪ ଘଣ୍ଟାର ରାସ୍ତା। ଦେଖିଲି ସମୟ ୧୧ଟା ପାଖାପାଖି। ରାତି ୨ଟା ୩ଟା ମଧ୍ୟରେ ଘରେ ପହଞ୍ଚି ହେବ। ଟିକେ ରେଷ୍ଟନେଇ ପରିସ୍ଥିତି ଦେଖି ଜିଲ୍ଲା ହସ୍ପିଟାଲ କିମ୍ବା କଟକ ଭୁବନେଶ୍ବର ଯିବାକୁ ପଡିପାରେ।
ରାମୁ ସାଙ୍ଗରେ କଥାବାର୍ତ୍ତା ହୋଇ ଯାଉଥାଉ। ମଝିରେ ମଝିରେ ନୀରବତା। କାର୍ ଇଞ୍ଜିନ ର ଘର୍ଘରତା ରାତ୍ରିର ନିସ୍ତବ୍ଧତାକୁ ଭେଦ କରି ଆଗକୁ ମାଡି ଚାଲିଥାଏ। ଖରାପ ପାଗ ଯୋଗୁଁ ଗାଡି ମଟର ସେତେଟା ଯିବା ଆସିବା କରୁନଥାଏ।ଘାଟି ରାସ୍ତା ଯୋଗୁଁ ରାତିରେ ଟୁରିଷ୍ଟ ଗାଡି ଛାଡିଦେଲେ ଖୁବ୍ କମ୍ ଯାତ୍ରୀବାହି ଗାଡି ଏ ରାସ୍ତା ରେ ଯିବା ଆସିବା କରେ। ମଝିରେ ମଝିରେ ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ମନରେ ଭୟ ସଞ୍ଚାର କରୁଥାଏ। :ସାବ୍ ଘାଟିରାସ୍ତା ଆରମ୍ଭ ହେଲା ରାମୁ କହିଲା। ଗାଡିର ବେଗ ମଧ୍ଯ କମ୍ ହେବାର ଅନୁଭବ କଲି।ଏପଟୁ ଗଲେ ଉଠାଣି ବେଶୀ। ଗାଡି ଆପେ ଆପେ ସ୍ଲୋ ହୋଇଯାଏ। ଝରକା ତଳକୁ କଲି ନିଦ କମ୍ କରିବା ପାଇଁ। ଦମକାଏ ଶୀତଳ ପବନ ପଶିଆସି ଦେହ ଥରାଇଦେଲା। ହଠାତ୍ ଗାଡିଟା ଅଟକିଗଲା। ରାମୁ ଏସେଲେରେଟର ପାଦଦବାଇବାରୁ ଘର୍ ଘର୍ ହୋଇ ଗାଡିଟା ଥରିଉଠିଲା। ଗାଡିଟା ତଳକୁ ଖସୁଖସୁ ଷ୍ଟାର୍ଟ ବନ୍ଦ ହୋଇ ଅଟକିଗଲା। ଚାରିଆଡ କିଟିକିଟି ଅନ୍ଧାର। ମୁହଁକୁ ମୁହଁ ଦେଖା ଯାଉନଥାଏ। ବିଜୁଳି ଆଲୁଅରେ ଦେଖିଲି ରାମୁ ଭୟରେ ସ୍ଥାଣୁହୋଇ ବସିରହିଛି ସିଟ ଉପରେ।
:ସାବ୍ ଗାଡିର ସବୁ ତ ଠିକ୍ ଅଛି, ଏମିତି ହେବା କଥା ନୁହଁ, ରାମୁ କହିଲା।
ରାମୁର ସ୍ଵରରେ ଭୟ ବାରି ହେଉଥିଲା। ମୁଁ ବି ଶଙ୍କାରେ ପଡିଗଲି। ରାମୁ ଇଗ୍ନିସନ ରେ ଚାବିପୂରାଇ ପୁଣି ଷ୍ଟାର୍ଟ କରିବା କୁ ଚେଷ୍ଟା କଲା। ଘର୍ ର୍ ର୍ ଘର୍ ର୍ ର୍ କରି ଇଞ୍ଜିନଟା ବିକଟାଳ ଶବ୍ଦକରି ପୁଣି ବନ୍ଦ ହୋଇଗଲା। ପୁଣି ଥରେ ସେଇ ଚେଷ୍ଟା….. ।ଇଞ୍ଜିନ ର ଶବ୍ଦ ପ୍ରକମ୍ପିତ ହୋଇ ସମଗ୍ର ଘାଟିକୁ ଥରାଇ ଦେଉଥାଏ।
ଭୟ ହେଉଥିଲେ ବି ପ୍ରକାଶ ନକରି ରାମୁକୁ ପଚାରିଲି :କଣ କରିବା ଏବେ?
ରାମୁ ଗୁଣୁଗୁଣୁ ହୋଇ କହୁଥାଏ :ସାବ୍ ଏମିତି ତ ହେବା କଥା ନୁହେଁ। ଏଥିପାଇଁ ଏ ରାସ୍ତା ରେ ରାତି ୧୨ଟା ପରେ କେହି ଆସନ୍ତି ନାହିଁ।
ମୋବାଇଲ ଅନ୍ କରି ଦେଖିଲି ୧.୪୫। ଡୋର୍ ଖୋଲି ଓହ୍ଲାଇବାକୁ ଯାଉଛି ରାମୁ ପାଟିକଲା :ସାବ୍ ଓହ୍ଲାନ୍ତୁ ନାହିଁ। ଯାହା ହେବ ଦେଖାଯିବ କହି ଗାଡିରୁ ଓହ୍ଲାଇଲି। ଚାରିଆଡ଼ ଅନ୍ଧାର ହିଁ ଅନ୍ଧାର। ବର୍ଷାଟୋପାସବୁ ଠପ୍ ଠପ୍ ଶବ୍ଦ କରୁଥାଏ ପତ୍ରରେ ପଡି। ଝିଙ୍କାରୀ ର ଶବ୍ଦ ରାତ୍ରିକୁ ଦ୍ଵିଗୁଣିତ କରୁଥାଏ। ଚାରିଆଡ଼େ ଗାଢ ଅନ୍ଧାର, ନିସ୍ତବ୍ଧ। ନିଶାଚର ପଶୁପକ୍ଷୀମାନଙ୍କ ଶବ୍ଦ ପାଖେଇ ଆସି ପବନରେ ମିଳେଇ ଯାଉଥାଏ। ଉଲ୍ଲୁକର ଉହୁଁ ଉହୁଁ ଛୋଟପିଲାଙ୍କ କାନ୍ଦିବା ଭଳି ମନେ ହେଉଥାଏ। କଣ କରିବି କିଛି ଥଳକୂଳ ପାଉଥାଏ।
ହଠତ୍ ଆଖିରେ ପଡ଼ିଲା ଅଦୂରରେ ନିଆଁ ଜଳୁଛି ଓ ଲିଭିଯାଉଛି। କିଛି ସମୟ ପରେ ଢୋଲ ମାଦଳର ଶବ୍ଦ ଭାସି ଆସିଲା। ଖିଲ୍ ଖିଲ୍ ବେପରୱା ହସ ବି ଶୁଣାଗଲା ମୋତେ। ସାହସ ବାନ୍ଧି ଆସୁଥିବା ଶବ୍ଦ ଆଡକୁ ଅନାଇଲି। ଏତେ ରାତିରେ….. କିଏ ଏମାନେ,ମୋ ପାଦଦୁଇଟା ଆପେ ଆପେ ସେ ଆଡକୁ ଟାଣି ହୋଇ ଗଲା। ପହଞ୍ଚି ଦେଖିଲି ଭୀଲ ସମ୍ପ୍ରଦାୟର ନାଚଗୀତର ଆସର ଚାଲିଛି। ନିଆଁ ଚାରିପଟେ ବେଢିରହି ୫/୭ ଜଣ ପୁରୁଷ ଢୋଲ ମାଦଳ ବଜାଉଛନ୍ତି ଓ ୪/୫ ଜଣ ସ୍ତ୍ରୀ ଲୋକ ନୃତ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରେ ୨/୩ ଜଣ ପିଲା ବି ଥାନ୍ତି। ମୋତେ ଦେଖି ସବୁଠାରୁ ବୟସ୍କ ଲୋକଟି ପଚାରିଲା :କି ହେଲା ବାବୁ? ଏତେ ରାତିରେ???
ଏକା ରାହାକେ ସବୁ କହିଗଲି ।
୪/୫ ଜଣ ପୁରୁଷ ଲୋକ ନିଆଁହୁଳା ଜାଳି ଏକ ପାଦଚଲା ରେ ଗାଡ଼ି ପାଖରେ ପହଞ୍ଚିଲୁ। ମୁଁ ମୋ ନିଜ ନିୟନ୍ତ୍ରଣରେ ନ ଥିଲି। କଣ ସବୁ ଘଟୁଛି ଆଗକୁ ଜାଣିବାକୁ ଚାହୁଁନଥିଲି। ଗୋଟିଏ ଚିନ୍ତା ଘରେ କେମିତି ପହଞ୍ଚିବି।
ରାମୁ ବଡକଷ୍ଟରେ ଡୋର ଖୋଲିଲା। ସେମାନେ ଯେମିତି ପଛରୁ ଠେଲିଛନ୍ତି ଗାଡି ଷ୍ଟାର୍ଟ ହେଲା। ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲି। ସେମାନଙ୍କୁ ନମସ୍କାର ଜଣାଇ ଗାଡିରେ ବସିଲି। ପଛରୁ ସବା ବୟସ୍କ ଲୋକଟିର ପାଟି ଶୁଣା ଯାଉଥାଏ ମୋତେ :ଚିନ୍ତା କର ନାହିଁ ବେଟା। ସବ୍ ଠିକ୍ ହେବ। ବଚ୍ଚା ଠିକ୍ ହେଇଯିବ। ଭଗବାନ କେ ଭରସା ରଖ୍।
ଘରେ ପହଞ୍ଚିଲା ଯାଏଁ ରାମୁ ମୋ ସାଙ୍ଗରେ ଆଉ କଥା ହୋଇ ନଥିଲା।
ଶ୍ଵେତା ମୋ ଫେରିବା ବାଟକୁ ଚାହିଁ ରହିଥିଲା। ଉତ୍କଣ୍ଠା ରେ ପଚାରିଲା :ଡେରି କଲ ଯେ? ତମ ଫୋନ୍ ବି ନଟ୍ ରିଚେବଲ୍???
:ଚିଣ୍ଟୁ କେମିତି ଅଛି – କହି ଏକ ରକମର ଧାଇଁ ଧାଇଁ ଘରେ ପଶି ଗଲି।
ଜ୍ଵର ଆଉ ନାହିଁ। ପୁରା ନର୍ମାଲ। ଦିନ ସାରା ଏତେ ଟେମ୍ପରେଚର୍। ଆଶ୍ଚର୍ଯ୍ୟ। ଶ୍ଵେତା ଉତ୍ତର ଦେଲା।
ପଙ୍ଖା ପୁରା ସ୍ପିଡ଼୍ କରି ସୋଫାରେ ବସି ପଡ଼ିଲି ମୁଁ । ଥରୁଥାଏ।
ତମେ ଏମିତି ଥରୁଛ କାହିଁକି? କଥା କଣ? ତମ ଦେହ ଠିକ୍ ଅଛି ତ?? କହି ଶ୍ଵେତା ମୋ ଛାତିରେ, କପାଳରେ ହାତ ବୁଲାଇ ଆଣିଲା।
: ଠିକ୍ ଅଛି – କହି ଶ୍ଵେତାର ହାତକୁ ଜାବୁଡ଼ି ଧରିଲି।
ଚା ପିଇ ପିଇ ରାମୁ ପାଇଁ କପେ ଚା ଧରି ଗାଡି ପାଖକୁ ଗଲି। ରାମୁ ର ନିଦ ଭାଙ୍ଗି ନଥାଏ। ଚା ପିଉ ପିଉ ରାମୁ କହିଲା :ସାବ୍! ଏତେ ବର୍ଷ ଧରି ଏ ରାସ୍ତା ରେ ଗାଡି ନେଇଛି। ଘାଟିରୁ ଦୂରଦୂରାନ୍ତ ଯାଏଁ ଲୋକ ତ ଦୂରର କଥା କାଉକୋଇଲିର ଶୋରଶବଦ ନ ଥାଏ…… ଅଥଚ ଏମାନେ… ରାମୁ କଥା ସଂପୂର୍ଣ୍ଣ କରିପାରୁନଥାଏ।
ରାମୁ କଣ ମୋତେ ବି ଆଶ୍ଚର୍ଯ୍ୟ ଲାଗୁଥାଏ। ଘନଘୋର ଅମାଅନ୍ଧକାର ରାତିରେ ଏମାନେ ଆସିଲେ କୁଆଡୁ??? ଅସମ୍ଭବ।
ଶ୍ଵେତା କେତେବେଳୁ ଆସି ମୋ ପଛରେ ଛିଡା ହୋଇଛି – ମୋତେ ଜଣା ନ ଥିଲା।
:କଣ ଅସମ୍ଭବ? ରାତି ସାରା ତମେ ଏମିତି ବିଳିବିଳେଉଛ। ଏତେ ଶୀଘ୍ର ଉଠି ପଡିଲ ଯେ!
ଶ୍ଵେତା ମୋତେ ବଲବଲ ହୋଇ ଚାହିଁ ରହିଥାଏ।
ଏତକ ବୁଝିଲି : ଜୀବନରେ ଅନେକ ଅଲୌକିକ ଘଟଣା ଘଟିଥାଏ, ଆମ ଅଜ୍ଞାତସାରରେ।
—– ସମାପ୍ତ —