ଘରୁ ରକ୍ତାକ୍ତ ଅବସ୍ଥାରେ ମିଳିଲା କନ୍ନଡ ଅଭିନେତା ସତୀଶ ବଜ୍ରଙ୍କ ମୃତଦେହ

ହାଇଦ୍ରାବାଦ: ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା କନ୍ନଡର ପ୍ରସିଦ୍ଧ ଅଭିନେତା ସତୀଶ ବଜ୍ରଙ୍କ ମୃତ ଶରୀର । ବେଙ୍ଗାଲୁରୁର ଆରଆରନଗରରେ ରହୁଥିଲେ ସତୀଶ ବଜ୍ର । ପୋଲିସଙ୍କ କହିବାନୁସାରେ, ସତୀଶ ବଜ୍ରଙ୍କୁ ହତ୍ୟା କରାଯାଇଛି । ତେଣୁ ସନ୍ଦେହରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ତିନି ମାସ ପୂର୍ବରୁ ସତୀଶଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ପତ୍ନୀଙ୍କ ମୃତ୍ୟୁର କିଛି ମାସ ପରେ ଅଭିନେତାଙ୍କ ହତ୍ୟା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି । ଗଣମାଧ୍ୟମ ସୂଚନା ଅନୁସାରେ ଏହି ଘଟଣାଟି ରବିବାର ଦିନ ଘଟିଛି । ସତୀଶଙ୍କ ଘର ମାଲିକ ପୋଲିସକୁ ଏ ଘଟଣା ନେଇ ସୂଚନା ଦେଇଥିଲେ । ଏହାପରେ ଘରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ପୋଲିସକୁ ଦେଖାଯାଇଥିଲା । ଫୁଟେଜ୍ରୁ ଜଣାପଡିଥିଲା ଯେ, ଯେତେବେଳେ ସତୀଶ ଘରେ ପ୍ରବେଶ କରିଥିଲେ ସେତେବେଳେ ଦୁଇ ଜଣ ଅଜଣା ଲୋକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଛି। ଖବର ଅନୁଯାୟୀ ସତୀଶ ବଜ୍ର ତାଙ୍କ ପରିବାର ବିରୋଧରେ ଯାଇ ବିବାହ କରିଥିଲେ । ଏହି ବିବାହରେ ଉଭୟଙ୍କ ପରିବାର ଲୋକ ଖୁସି ନଥିଲେ । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ସବୁବେଳେ କଳି ଲାଗିରହିଥିଲା । କୁହାଯାଉଛି ଯେ, ପାରିବାରିକ କଳହ ହେତୁ ଅଭିନେତାଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ, ଭଉଣୀର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସତୀଶଙ୍କ ଶାଳକ ହିଁ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ପୋଲିସ ଅଭିନେତାଙ୍କ ଶାଳକ ତଥା ଶ୍ୱଶୁର ଘର ଲୋକଙ୍କୁ ଖୋଜୁଛି । ବର୍ତ୍ତମାନ ମାମଲାର ଯାଞ୍ଚ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି ।