ୟୁକ୍ରେନ୍ ଉପରେ ରୁଷର ପୁଣି ଏକ ବଡ଼ ହମଲା

କିଭ୍: ରୁଷ-ୟୁକ୍ରେନର ଯୁଦ୍ଧକୁ ୪ ମାସ ବିତିଯାଇଥିଲେ ମଧ୍ୟ ରୁଷର ଆକ୍ରମଣାତ୍ମକ ମନୋଭାବରେକୌଣସି ପରିବର୍ତ୍ତନ ଆସିନାହିଁ। ୟୁକ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଜିଦରେ ଅଟଳ ରହିଛି ରୁଷ। ଅସହାୟ ହୋଇ ବିଶ୍ୱ ସମୁଦାୟର ସହାୟତା ଲୋଡୁଥିବା ୟୁକ୍ରେନ୍ ଉପରେ ପୁଣି ଏକ ବଡ଼ ଧରଣର ଆକ୍ରମଣ କରିଛି ରୁଷ । ସୋମବାର ପୂର୍ବ-ୟୁକ୍ରେନ୍ର ଏକ ଜନଗହଳିପୂର୍ଣ୍ଣ ସପିଂ ମଲ୍ ଉପରେ ଭୟଙ୍କର ମିସାଇଲ ମାଡ଼ କରିଛି ରୁଷ। ଏଥିରେ ୧୬ ଜଣଙ୍କ ଜୀବନ ଯାଇଥିବା ବେଳେ, ୪୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କ୍ରେମ୍ଚୁକ୍ର ସପିଙ୍ଗ୍ ସେଣ୍ଟରରେ ଯେତେବେଳେ ରୁଷ କ୍ଷେପଣାସ୍ତ୍ର ମାଡ଼ ହେଲା, ସେତେବେଳେ ସେଠାରେ ପ୍ରାୟ ହଜାରରୁ ଅଧିକ ଲୋକ ଥିଲେ ବୋଲି କହିଛନ୍ତି ନିଜେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି। ମିସାଇଲ ଆକ୍ରମଣର ଏକ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସପିଙ୍ଗ୍ ମଲ୍ରେ ବିସ୍ଫୋରଣ ପରେ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟୁଥିବା ଏବଂ ବିରାଟ ଆକାରରେ କଳା ଧୂଆଁ ଆକାଶକୁ ଯାଉଥିବା ଦେଖିବାକୁ ମିଳିଛି।