ଇସ୍ତଫା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଇସ୍ତଫା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।” ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ” ମୁଁ ଗୋଟେ ଅପ୍ରତ୍ୟାଶିତ ଭାବେ ସରକାର ଗଠନ କରିଥିଲି। ଏବଂ ସମାନ ଢଙ୍ଗରେ କ୍ଷମତା ଚ୍ୟୁତ ହେଲି। ତେବେ ମୁଁ ସବୁଦିନ ପାଇଁ ଯାଉ ନାହିଁ। ମୁଁ ଏଇଠି ରହିବି। ମୁଁ ପୁଣିଥରେ ଶିବସେନା ଭବନରେ ବସିବି।

ମୁଁ ମୋ ଲୋକଙ୍କୁ ଏକାଠି କରିବି। ମୁଁ ମୁଖ୍ୟମନ୍ତ୍ରୀ ଓ ବିଧାନ ପରିଷଦ ପଦରୁ ଇସ୍ତଫା ଦେଉଛି।” ଫେସ୍ବୁକ ପେଜ୍ରେ ଲାଇଭ୍ କରି ଇସ୍ତଫା ଘୋଷଣା କରିଛନ୍ତି ଉଦ୍ଧବ। ତେବେ ଇସ୍ତଫା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ସେମାନଙ୍କର ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି “ସମର୍ଥନ ପାଇଁ କଂଗ୍ରେସ ଓ ଏନ୍ସିପି କର୍ମୀଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରସ୍ତାବ ପାରିତ ହେଲା ବେଳେ ଶିବସେନା ପାର୍ଟିରୁ ଅନୀଲ ପରବ, ଶୁଭାଶ ଦେଶାଇ ଏବଂ ଆଦିତ୍ୟ ଠାକରେ ଉପସ୍ଥିତ ଥିବା ବେଳେ ଏନ୍ସିପି କଂଗ୍ରେସ ସମର୍ଥନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ଆମ ସରକାରଙ୍କୁ ମାଡ଼ ମାରିଲା”ଅନ୍ୟପଟେ ତାଜ ହୋଟେଲ୍ରେ ଏକାଠି ହୋଇଥିବା ବିଜେପି ନେତାମାନେ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି। ହୋଟେଲ୍ରେ ଏକାଠି ହୋଇ ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସପକ୍ଷରେ ନାରା ଲଗାଇଛନ୍ତି। ଏହା ପୂର୍ବରୁ ମହାରାଷ୍ଟ୍ର ରାଜନୀତି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ରାତି ୯ଟା ବେଳେ ନିଷ୍ପତ୍ତି ଶୁଣାଣି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ।
ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ ଠାକରେ ସରକାର। ରାଜ୍ୟପାଳ ଡକାଇଥିବା ଆସ୍ଥା ଭୋଟ୍ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତଙ୍କ ନିଷ୍ପତ୍ତିରେ ଉଦ୍ଧବ ସରକାରଙ୍କୁ ବହୁତ ବଡ ଝଟକା ଲାଗିଛି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପର୍ଡିଓ୍ଵାଲାଙ୍କ ପୀଠ ମାମଲାର ଶୁଣାଣି କରିଛନ୍ତି। ଆସନ୍ତାକାଲି ଅର୍ଥାତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ରାଜ୍ୟପାଳଙ୍କ ଆସ୍ଥା ଭୋଟ୍ କରାଇବା ନିଷ୍ପତ୍ତି ବିରୋଧରେ ଶିବସେନା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଅଦାଲତ ସମସ୍ତ ପକ୍ଷଙ୍କ ଦଲିଲ୍ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାତି ୯ଟାରେ ରାୟ ପ୍ରକାଶ କରି ଆସ୍ଥା ଭୋଟ୍ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଦେବେନ୍ଦ୍ର ଫଡନାଭିସ ବିଜେପି ବିଧାୟକଙ୍କୁ ଭେଟିବାକୁ ଯାଇଥିବା ସୂଚନା ମିଳିଛି। ବିଧାୟକଙ୍କ ସହ ମିଶି ସରକାର ଗଠନ କରିବାକୁ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।