
ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ନିତି ନୂଆ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କଠାରୁ ପାଇଥିବା ଉପହାର ବିକ୍ରି ଅଭିଯୋଗର ସେ ଏବେ ସମ୍ମୁଖୀନ ହୋଇଥିବା ବେଳେ ସ୍ଥାନୀୟ ମିଡିଆ ରିପୋର୍ଟରେ ଜୁଏଲକ୍ଲାସ୍ ଘଡି ବିକି ସେ ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିବା କୁହାଯାଇଛି। ଏକ ଅଧିକାରୀକ ଯାଞ୍ଚ ରିପୋର୍ଟରୁ ତାଙ୍କ ଘଡ଼ି ବିକ୍ରି କଥା ଜଣାପଡିଛି। ଜନୈକ ସ୍ଥାନୀୟ ଡିଲରଙ୍କୁ ସେ ୩ଟି ଘଡ଼ି ବିକି ୩୬ ନିୟୁତ ଟଙ୍କା ପାଇଥିବା କୁହାଯାଉଛି। ଯାଞ୍ଚ ବିବରଣୀ ଅନୁସାରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଏହି ଜୁଏଲକ୍ଲାସ ଘଡିରୁ ଅନେକ ଟଙ୍କା ପାଇଛନ୍ତି। ଏହି ୩ଟି ଘଡ଼ିର ଏକତ୍ର ମୂଲ୍ୟ ୧୫୪ ମିଲିୟନ ପାକିସ୍ତାନୀ ଟଙ୍କାରୁ ବି ଅଧିକ ଥିଲା। ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଦେଶ ରାଷ୍ଟ୍ରମୁଖ୍ୟମାନେ ତାଙ୍କୁ ଏହି ଘଡି ଉପହାର ଦେଇଥିଲେ। ନିୟମାନୁସାରେ ପ୍ରଧାନମନ୍ତ୍ରୀଙ୍କ ଏହି ଉପହାର ତୋଷଖାନାରେ ରହିବା କଥା। ଯଦି ପ୍ରଧାନମନ୍ତ୍ରୀ ଚାହିଁଥାନ୍ତେ ନିଜ ପକେଟରୁ ପଇସା ଖର୍ଚ୍ଚ କରି ତୋଷଖାନାରୁ କିଣିଥାନ୍ତେ। ତେବେ ଇମ୍ରାନ ସେପରି ନ କରି ଘଡି ପ୍ରଥମେ ବିକ୍ରି କରି ହୋଇଥିବା ଆୟର ୨୦ ପ୍ରତିଶତ ସରକାରୀ ତହବିଲରେ ଜମା କରିଛନ୍ତି। ଏଥିରୁ ସବୁଠୁ ମହଙ୍ଗା ଘଡ଼ିର ମୂଲ୍ୟ ୧୦.୧ କୋଟି ଟଙ୍କା ଥିଲା। ଇମ୍ରାନ ଏହାକୁ ନିଜ ମୂଲ୍ୟରେ ଅର୍ଥାତ ୫.୧ କୋଟି ଟଙ୍କାରେ ନିଜ ପାଖରେ ରଖି ନେଇଥିବା ବେଳେ ଏହାକୁ ବିକି ୨ କୋଟି ଟଙ୍କା ସରକାରୀ ତହବିଲରେ ଜମା ଦେଇଥିବା ବେଳେ ବାକି ୩.୧ କୋଟି ଟଙ୍କା ନିଜେ ନେଇଯାଇଛନ୍ତି। ସେହିପରି ଅନ୍ୟ ଦୁଇଟି ଘଡ଼ିକୁ ମଧ୍ୟ ସେ ବାସ୍ତବିକ ମୂଲ୍ୟର ଅଧା ମୂଲ୍ୟରେ ବିକି ଏ ବାବଦ ଅର୍ଥ ନିଜ ପାଖରେ ରଖି ନେଇଛନ୍ତି।
ପାକିସ୍ତାନ ଆଇନ ଅନୁସାରେ ବିଦେଶୀ ଗଣମାନ୍ୟ ବ୍ୟକ୍ତିଙ୍କ ଉପହାର ଷ୍ଟେଟ୍ ଡିପୋଜିଟରୀ ଅର୍ଥାତ ତୋଷଖାନାରେ ରଖାଯିବା କଥା। ଏଣୁ କୌଣସି ସରକାରୀ ଅଧିକାରୀଙ୍କୁ ମିଳିଥିବା ଉପହାର ନେଇ ତୁରନ୍ତ ସୂଚନା ଦେବାକୁ ପଡିଥାଏ, ଯାହା ଦ୍ୱାରା ଏହାର ମୂଲ୍ୟ ଆକଳନ କରାଯାଇପାରିବ। ଉପହାର ଜମା କରିବା ପରେ ପ୍ରାପ୍ତକର୍ତ୍ତା ବିଶେଷ ରାଶି ପୈଠ କରି ଏହାକୁ ନିଜ ମାଲିକାନାଧୀନ କରିପାରନ୍ତି। ତୋଷଖାନା କାଗଜପତ୍ର ଅନୁଯାୟୀ ମିଡିଆ ରିପୋର୍ଟରେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ମିତ୍ର ଉପସାଗରୀୟ ଦେଶଙ୍କ ଗଣମାନ୍ୟ ବ୍ୟକ୍ତି ଉପହାରରେ ଦେଇଥିବା ୩ ମହଙ୍ଗା ଘଡି ବିକ୍ରିରୁ ୩.୬ କୋଟି ଟଙ୍କା ମିଳିଛି। ଏଥିରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଉପହାରରେ ପାଇଥିବା ଘଡ଼ି ଗୁଡିକୁ ସେ କେବେ ତୋଷଖାନାରେ ଜମା ଦେଇ ନାହାନ୍ତି କି ସେ ବାବଦେ ତୋଷାଖାନାକୁ ଜଣାଇ ମଧ୍ୟ ନାହାନ୍ତି ବୋଲି କୁହାଯାଇଛି। ତେବେ ଘଡିକୁ ନେଇ ବିବାଦ ଦେଖା ଦେବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋତେ ମିଳିଥିବା ଉପହାରର ମୁଁ ଯାହା କଲି ବୋଲି କହିଥିଲେ। ସେ କହିଥିଲେ ଯେ ଉପହାର ମୋତେ ମିଳିଥିଲା ମୁଁ ଏହାକୁ ରଖିଲି କି ବିକିଲି ତା ମୋ ଇଚ୍ଛା ଉପରେ ନିର୍ଭର କରେ ବୋଲି କହିବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।