ଘନୀଭୂତ ହେଉଛି ଲଘୁଚାପ, ଆସନ୍ତା ୩ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା
୧୪ ଓ ୨୧ତାରିଖରେ ଆଉ ଏକ ଲଘୁଚାପ ଆଶଙ୍କା

ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଲଘୁଚାପ ପ୍ରଥମେ ଅବପାତ ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ତୀବ୍ର ଅବପାତରେ ପରିଣତ ହେବ। ତୀବ୍ର ଅବପାତ ରୂପରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଗତି କରି ଆସନ୍ତା ୧୨ତାରିଖ ପୂର୍ବାହ୍ନ କିମ୍ବା ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ତିନିଦିନ ଧରି ବର୍ଷା ଲାଗିରହିବ।
ଏହା ବ୍ୟତୀତ ଆସନ୍ତା ୧୪ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି। ପଛକୁ ପଛ ଆସନ୍ତା ୨୧ରେ ପୁନର୍ବାର ଏକ ଲଘୁଚାପର ସମ୍ଭାବନା ଥିବା ବିଭିନ୍ନ ମଡ଼େଲ ଆଧାରରେ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଏବେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଆଦି ୭ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।