ବଜାର ଦରରେ ଅଣାୟତ୍ତ,ଅତ୍ୟାବଶକ ଖାଉଟି ସାମଗ୍ରୀର ଦର ଉପରମୁହାଁ

ଉପରମୁହାଁ ଖାଉଟି ସାମଗ୍ରୀ ଦର । ବଜାରରେ ଦର ଅଣାୟତ୍ତ । ଦର ବୃଦ୍ଧିର ଚାପରେ ହନ୍ତସନ୍ତ ସାଧାରଣ ଖାଉଟି । ଏଭଳି ପରିସ୍ଥିତିରେ ବାଧକ ସାଜିଛି ଜିଏସ୍ଟି ବ୍ୟବସ୍ଥା । ନିକଟରେ ଗହମ ଜାତୀୟ ଦ୍ରବ୍ୟଗୁଡିକ ଉପରେ ୫% ଜିଏସ୍ଟି ଲାଗୁ କରିବା ପରେ ମାତ୍ର ମାସକ ମଧ୍ୟରେ ବଜାରରେ ଅଟା,ସୁଜି,ମଇଦା,ବିସ୍କୁଟ୍ ଏବଂ ଅଟା ଓ ମଇଦା ପ୍ରସ୍ତୁତ ସାମଗ୍ରୀର ଦର ଅତ୍ୟଧିକ ବଢ଼ିଛି । ସେହିପରି ଗୋଟିଏ ବର୍ଷ ମଧ୍ୟରେ ବଜାରରେ ୨୦% ବୃଦ୍ଧି ପାଇଛି ଅଟା ଦର ।
ଅରପପକ୍ଷେ ମାସକ ମଧ୍ୟରେ କ୍ଷୀର ଲିଟର ୨ ଟଙ୍କା ବଢ଼ିଛି। ଏଭଳି ଦର ବୃଦ୍ଧିରୁ ବାଦ୍ପଡ଼ିନି ବିସ୍କୁଟ୍,ନୁଡୁଲ୍ସ ଏବଂ ସାବୁନ୍। ବଜାରରେ ବର୍ତ୍ତମାନ ସାଧାରଣ କିସମର ଉଷୁନା ଚାଉଳ ମୂଲ୍ୟ କିଲୋ ପିଛା ପ୍ରାୟ ୮ଟଙ୍କା ବୃଦ୍ଧି ପାଇ ୩୫ ଟଙ୍କା ଟପିଛି । ଏହାଛଡା ଅଟା କିଲୋ ପିଛା ମଧ୍ୟ ୩୫ ଟଙ୍କା ହୋଇଛି। ବଜାରରେ ୫ କେଜିଆ ଅଟା ପ୍ୟାକେଟ୍ ଏବେ ୨୦୦ ଟଙ୍କା ଛୁଇଁବାକୁ ବସିଛି । ସେହିପରି ଚୂଡା କିଲୋ ୪୦ ଟଙ୍କାରେ ପହଞ୍ଚିଛି। ସୁଜି କିଲୋ ୫ ଟଙ୍କା ବୃଦ୍ଧି ପାଇ ୩୫ ଟଙ୍କା ଏବଂ ମଇଦା ୩୫ରୁ ୪୦ ଟଙ୍କା ଛୁଇଁଛି। ଅପରପକ୍ଷେ ଗହମଜାତ ଅନ୍ୟ ଉତ୍ପାଦ ମଧ୍ୟରେ ବିସ୍କୁଟ ଏବଂ ନୁଡୁଲ୍ସ ଦର ମାସକ ମଧ୍ୟରେ ପ୍ୟାକେଟ୍ ପିଛା ୫ ଟଙ୍କା ବଢ଼ିଛି। ୪୦ ଟଙ୍କା ପ୍ୟାକ୍ର ମେରିଗୋଲ୍ଡ ଏବେ ବଜାରରେ ୪୫ ଟଙ୍କାରେ ବିକ୍ରି ହେଉଛି।
ସେହିପରି ୪୦ ଗ୍ରାମ ପ୍ୟାକ୍ର ମ୍ୟାଗି ନୁଡୁଲ୍ସ ପ୍ୟାକେଟ୍ ୭୮ ଟଙ୍କାରୁ ୮୨ ଟଙ୍କାରେ ପହଞ୍ଚିଛି। ହରଡ ଡାଲି ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇ ୧୧୦ ଟଙ୍କା ହୋଇଥÒବାବେଳେ ବିରି ଡାଲି ୧୫ ଟଙ୍କା ବଢ଼ି ୧୦୫ ଟଙ୍କାରେ ପହଞ୍ଚିଛି। ଖାଦ୍ୟ ସାମଗ୍ରୀ ପରେ ବଜାରରେ ବର୍ତ୍ତମାନ ସମୟରେ ସାବୁନ ଦର ମଧ୍ୟ ବଢ଼ିଛି। ଦୀର୍ଘ ଦିନ ହେବ ଖାଉଟିଙ୍କୁ ଉଚ୍ଚ ଦରରେ ଅଣନିଶ୍ବାସୀ କରିପକାଇଥିବା ଖାଇବା ତେଲ ଦର ଏଯାଏ କମିବାର ନାମ ଧରୁନାହିଁ। ଯଦିଓ କେନ୍ଦ୍ର ସରକାର ନିକଟରେ ଖାଇବା ତେଲ କମ୍ ହେବା ନେଇ ବାରମ୍ବାର ଘୋଷଣା କରିଚାଲିଥିଲେ ତଥାପି ବଜାରରେ ଦର ପୁଣି ଥରେ ବୃଦ୍ଧି ପାଇଛି। କରୋନା ମହାମାରୀ ପରେ ରୁଷ୍-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବରେ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି।