ଦୁର୍ଘଟଣାଦେଶ

ପୁଣି ଜାମ୍ମୁ କାଶ୍ମୀରରେ ଦୁର୍ଘଟଣା,ଖାଇକୁ ବସ୍ ଖସି ୭ ମୃତ ଅନେକ ଆହତ

ପୁଣି ଜାମ୍ମୁ କାଶ୍ମୀରରେ ବଡ ଦୁର୍ଘଟଣା ।  ଜାମ୍ମୁ କାଶ୍ମୀରର ରାଜୌରୀରେ ଏକ ଖାଇକୁ ବସ୍ ଖସିପଡି ଦୂର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଥିବା ଖବର ରହିଛି ।  ଖବର ପାଇ ଘଟଣାସ୍ତଳରେ ସେନା, ପୋଲିସ ଏବଂ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସ୍ଥାନୀୟ ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୭ଟି ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଏହି ବସ୍‌ଟି ପୁଞ୍ଚରୁ ଜାମ୍ମୁକୁ ଯାଉଥିଲା । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ବୁଧବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ମଣ୍ଡି ତହସିଲ ସୀମାବର୍ତ୍ତୀ ସାବଞ୍ଜିଆର ବୁରାରୀ ନାଲା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ମିନିବସ୍ ୨୫୦ ଫୁଟ ଖାଇରେ ଖସିପଡିଥିଲା । ଏଥିରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ । ତେବେ ମୃତକଙ୍କ ମଧ୍ୟରେ ତିନିଜଣ ସ୍କୁଲ ଛାତ୍ର ଏବଂ ଚାରିଜଣ ମହିଳା ଥିଲେ । ଏହି ଦୁର୍ଘଟଣାରେ ଦଶ ଜଣ ସ୍କୁଲ ଛାତ୍ର ମଧ୍ୟ ଆହତ ହୋଇଛନ୍ତି । କୁହାଯାଉଛି ଯେ ନିୟମକୁ ଅବମାନନା କରି ଏହି ବସ୍‌ରେ ଅଧିକ ଯାତ୍ରୀ ଭର୍ତ୍ତି ହୋଇଥିଲେ ।

 

Show More

Related Articles

Back to top button