ନୂଆଦିଲ୍ଲୀ: ଇମରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ହଟିବା ପର ଠାରୁ ଦିନେ ହେଲେ ଶାନ୍ତିରେ ରହି ପାରୁ ନାହାନ୍ତି । ସେ ସବୁବେଳେ ନିଜକୁ ମହାନ କହିବା ସହ ବର୍ତମାନର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମାନଙ୍କ ଉପରେ ଲଗାତାର ଆକ୍ରମଣ କରିବା ଦେଖିବାକୁ ମିଳିଛି । ଏବେ ନିକଟ ଅତୀତରେ ସମରକନ୍ଦ ଠାରେ ସମ୍ପନ୍ନ ହୋଇଥିବା ଏସସିଓ ବୈଠକରେ ଯୋଗ ଦେଇ ଫେରିବା ପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କୁ ପୁଣି ଥରେ ଇମରାନ ଖାନ ଆକ୍ରମଣ କରିଛନ୍ତି । ସେ ଶାହବାଜ ଖାନଙ୍କୁ ଉପହାସ କରି କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତି କାରଣରୁ ଶାହବାଜ ଭୟଭୀତ ହୋଇ ପଡିଥିଲେ । ସେ ଭ୍ଲାଦିମିର ପୁଟିନ ଓ ଶାହବାଜଙ୍କ ମଧ୍ୟରେ କଥାବାର୍ତା ସମୟର ଘଟଣାକୁ ଉଲ୍ଲେଖ କରି ଏହା କହିଛନ୍ତି । ପାକିସ୍ତାନରେ ଭୀଷଣ ବନ୍ୟା ଆସିଥିବା ବେଳେ ଶାହବାଜ ଶରିଫ ବିଦେଶ ଗସ୍ତ କରୁଥିବା କାରଣରୁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି ଯେ ଶାହବାଜ ଶରିଫ ଜଣେ ଅତ୍ୟନ୍ତ ସମ୍ବେଦନହୀନ ବ୍ୟକ୍ତି । ଦେଶ ଯେତେବେଳେ ଏତେ ଭୀଷଣ ବନ୍ୟାରେ ପ୍ରଭାବିତ ହୋଇଛି, ଲୋକ ମାନେ ଖାଇବାକୁ ପାଉ ନାହାନ୍ତି, ସେଭଳି ସ୍ଥିତିରେ ଲୋକ ମାନଙ୍କ କଥା ବୁଝିବା ପରିବର୍ତେ ଶାହବାଜ ବିଦେଶ ଗସ୍ତରେ ଯାଇଥିଲେ । ଇମରାନ ଖାନ ସେତିକିରେ ଅଟକି ନାହାନ୍ତି । ସେ କହିଛନ୍ତି ଯେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସବୁବେଳେ ଅନ୍ୟ ଦେଶକୁ ଭିକ୍ଷା ଥାଳ ଧରି ମାଗିବାକୁ ଯାଉଥିବା ଭଳି ବ୍ୟବହାର କରୁଛନ୍ତି । ସେ କହିଛନ୍ତି ଯେ ମିଳିତ ଜାତିସଂଘର ମହାସଚିବଙ୍କ ସହ କଥାବାର୍ତା ବେଳେ ଏଭଳି ଲାଗୁଥିଲା ଯେ ସେ ତାଙ୍କୁ ଭିକ ମାଗିବାକୁ ଆସିଛନ୍ତି । ପାକିସ୍ତାନକୁ ଏଭଳି ପ୍ରଧାନମନ୍ତ୍ରୀର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ପାକିସ୍ତାନର ବର୍ତମାନ ସରକାର ଯେଉଁ ମନ୍ତ୍ରୀ ମଣ୍ଡଳ ରହିଛି ତାର 60 ପ୍ରତିଶତ ମନ୍ତ୍ରୀ ଜାମିନରେ ଅଛନ୍ତି । ଏମାନଙ୍କ ବିରୁଦ୍ଧରେ ଗୁରୁତର ଦୁର୍ନୀତିର ଅଭିଯୋଗ ରହିଛି । ତେଣୁ ଏଭଳି ସରକାରକୁ କୌଣସି ଦେଶ କାହିଁକି ବା ଋଣ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଦେଶ ମାନେ ଜାଣିଛନ୍ତି ଯେ ପାକିସ୍ତାନର ବର୍ତମାନ ସରକାରକୁ ଋଣ ଦେଲେ ମନ୍ତ୍ରୀ ମାନେ ତାକୁ ଖାଇଯିବେ । ତେଣୁ କେହି ପାକିସ୍ତାନକୁ ଋଣ ଦେଉ ନାହାନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।
Related Articles
Check Also
Close
-
ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳିତ2 hours ago