
ଇସଲାମାବାଦ: ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ନୁର ମାସକାଞ୍ଜାଇ। ଶୁକ୍ରବାର ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଗୋଟିଏ ମସଜିଦ ବାହାରେ ଏପରି ଘଟଣା ଘଟିଛି। ବିଚାରପତି ଜଣଙ୍କ ମସଜିଦକୁ ନମାଜ ପାଠ ପାଇଁ ଆସିଥିବା ବେଳେ ଘଟିଛି ଏଭଳି ଏକ ଅଘଟଣ। ପୁଲିସ୍ କହିବାନୁସାରେ ଏହା ଏକ ଆତଙ୍କୀ ଆକ୍ରମଣ। ଆତଙ୍କବାଦୀମାନେ ଖାରାନ ଅଞ୍ଚଳରେ ଥିବା ମସଜିଦ ବାହାରେ ଆକ୍ରମଣ କରିଛନ୍ତି। ସେମାନେ ଜଷ୍ଟିସ ମହମ୍ମଦ ନୁର ମାସକାଞ୍ଜାଇଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖାରାନ ଏସ୍ପି ଅସିଫ ହାଲିମ ସୂଚନା ଦେଇଛନ୍ତି। ପାକିସ୍ତାନର ବାଲୋଚିସ୍ତାନରେ ବିଦ୍ରୋହୀମାନେ ବେଶ ସକ୍ରିୟ। ପୂର୍ବରୁ ଅନେକ ଥର ସେମାନେ ହମଲା କରିବାର ନଜର ରହିଛି। ଏବେ ସେମାନଙ୍କ ଗୁଳିରେ ଜଷ୍ଟିସ ମହମ୍ମଦ ପ୍ରାଣ ହରାଇଛନ୍ତି। ନିକଟରେ ସେ ଐତିହାସିକ ରାୟ ଦେଇ ରିବା ଭିତ୍ତିକ ବ୍ୟାଙ୍କିଂ ବ୍ୟବସ୍ଥାକୁ ଶରିଆ ବିରୋଧୀ ବୋଲି କହିଥିଲେ। ଆତଙ୍କବାଦୀମାନେ କାହିଁକି ଜଣେ ପୂର୍ବତନ ବିଚାରପତିଙ୍କୁ ହତ୍ୟା କଲେ ସେକଥା ଜଣାପଡ଼ିନି।


