ଋଷ -ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଏହାରି ମଧ୍ୟରେ ପୁଣି କିବରେ ଋଷର ହମଲା ଆରମ୍ଭ । କାମିକାଜେ ଡ୍ରୋନ ବା ସୁଇସାଇଡ ଡ୍ରୋନରେ ଘନ ଘନ ଆଟାକ କରୁଛି ଋଷ । ଆଜି ସକାଳୁ ହମଲା ଆହୁରି ଜେରଦାର କରିଛି ମସ୍କୋ । ସକାଳ ପ୍ରାୟ ସାଢ଼େ ୬ଟାରୁ ସହର ଭିତରେ ଏକାଧିକ ମିସାଇଲ ମାଡ଼ ହୋଇଥିବା ବେଳେ କିବ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏୟାର ରେଡ ଆଲର୍ଟ ଜାରି ହୋଇଛି ।
କିବ ସମେତ ଖାରକିବ, ଡୋନେସ୍କ ଓ ଖେରସନ ସହରକୁ ମଧ୍ୟ ଟାର୍ଗେଟ କରିଛି ଋଷ । ସେପଟେ ଇଷ୍ଟର୍ଣ୍ଣ ୟୁକ୍ରେନର ଡୋନେସ୍କ ପ୍ରାନ୍ତରେ ମଧ୍ୟରେ ଦୁଇ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଡୋନବାସର ସୋଲେଡାର ଓ ବାଖମୁଟ ସହର ଓ୍ବାର ହଟସ୍ପଟ ପାଲଟିଛି ।ବାଖମୁଟରେ ଋଷ ସେନାରୁ କଡ଼ା ଜବାବ ଦେଉଛି ୟୁକ୍ରେନ । ଗତ ସପ୍ତାହରେ କିବ ଉପରେ ବଡ଼ ଧରଣର ହମଲା ପରେ ଆଉ ହମଲା କରାଯିବ ନାହିଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ମାତ୍ର ଋଷ ସେନା ସହ ନାଟୋ ସିଧାସଳଖ ସାମ୍ନା ହେଲେ ପୁରା ବିଶ୍ବ ଭୟଙ୍କର ପରିସ୍ଥିତିର ସାମ୍ନା କରିବ ବୋଲି ପୁଟିନ ଚେତାବନୀ ଦେଇଥିଲେ ।