
ଗୌହାଟୀ: ଆସାମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଆସାମ ସରକାର। ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୬୦ ପ୍ରତିଶତ ଏବଂ ତା’ଠାରୁ ଅଧିକ ନମ୍ବର ରଖିଥିବା ୨୯,୭୪୮ ଛାତ୍ରୀ ଓ ୭୫ ପ୍ରତିଶତ ଓ ତା’ଠାରୁ ଅଧିକ ନମ୍ବର ରଖିଥିବା ୬,୦୫୨ ଛାତ୍ରଙ୍କୁ ସ୍କୁଟର୍ ମିଳିବ। ନିକଟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ନଭେମ୍ବର ମାସ ୩୦ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଟର୍ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ କାମରୁପ (ମେଟ୍ରୋ) ଏବଂ କାମରୁପ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେବଳ ସେତିକି ନୁହେଁ, ନୋଡାଲ୍ ପ୍ରିନ୍ସିପାଲଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ ହିତାଧିକାରୀମାନଙ୍କୁ ପଞ୍ଜିକରଣ ଓ ବୀମା ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁହାଯାଇଛି। ସ୍କୁଟର ବଣ୍ଟନ ଯୋଜନା ବାବଦରେ ରାଜ୍ୟ ସରକାର ମୋଟ ୨୫୮.୯ କୋଟି ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି।


