
ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।
ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।
ସୂଚନାଯୋଗ୍ୟ ଯେ, ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି। ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡ଼ିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।
free book to school student in odisha


