ମାଟି କଳସ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ। ୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ । ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ପୁଣ୍ୟ ଭୂମି। ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି। ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ।